ପୁଣି ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରର ଚରମ ଉପେକ୍ଷା: ୫ରୁ ୫ ଆସନ ଦେଇ ପ୍ରତିଦାନରେ ସାଂଘାତିକ ଅବହେଳା

ସମ୍ବଲପୁର : କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ଇତିମଧ୍ୟରେ ଶେଷ ହୋଇଛି । ଏଥିରେ ରାଜ୍ୟରୁ ନିର୍ବାଚିତ ହୋଇଥିବା ୮ ବିଜେପି ସାଂସଦଙ୍କ ମଧ୍ୟରୁ କେବଳ ଜଣେ ସାଂସଦଙ୍କୁ ହିଁ ମନ୍ତ୍ରୀ ପଦ ମିଳିଛି । ଏହାଛଡା ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ବି କେବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ ରେଳ ମନ୍ତ୍ରାଳୟର ଦାୟିତ୍ବ ମିଳିଛି । ଅପରପକ୍ଷେ , ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହି ଆସିଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି କେବିନେଟ୍‌ରେ ରହିଛନ୍ତି । କେବଳ ତାଙ୍କ ବିଭାଗ ବଦଳିଛି । ହେଲେ ସେ ଓଡ଼ିଶାର ହୋଇଥିଲେ ହେଁ ଅନ୍ୟ ରାଜ୍ୟରୁ ପ୍ରତିନିଧିତ୍ବ କରୁଥିବାରୁ ତାଙ୍କୁ ଓଡିଶାର ସାଂସଦ ଭାବେ ବି ଗଣିବା ଭୁଲ ହେବ ।

ଏହି ଦୃଷ୍ଟିରୁ ରାଜ୍ୟବାସୀ ବିଜେପିକୁ ମୋଟ୍ ୮ଟି ଆସନ ଦେଇଥିଲେ ହେଁ ମାତ୍ର ଜଣେ ମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି । ଆଉ ସବୁଠାରୁ ପରିତାପର ବିଷୟ ହେଉଛି ଯେ , ପଶ୍ଚିମ ଓଡିଶାବାସୀ ସମଗ୍ର ୫ଟି ଯାକ ଆସନ ବିଜେପିକୁ ଟେକି ଦେଇଥିଲେ ହେଁ ଦଳ କିନ୍ତୁ ଏହି ଜନାଦେଶ ପ୍ରତି ଚରମ ଉପହାସ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଉପେକ୍ଷା ପାଇଁ ଆଗାମୀ ଦିନରେ ଦଳକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।

ଗତ ୨୦୦୯ ସାଧାରଣ ନିର୍ବାଚନ ବେଳେ ପଶ୍ଚିମ ଓଡିଶାର ୫ଟି ଲୋକସଭା ଆସନରୁ କେବଳ କଂଗ୍ରେସ ୪ଟି ଆସନ ଅକ୍ତିଆର କରିଥିଲା । ହେଲେ ଗୋଟିଏ ବି ମନ୍ତ୍ରୀ ପଦ ପାଇନଥିଲା । ୨୦୧୪ରେ କେବଳ ରାଜ୍ୟର ଏକମାତ୍ର ଆସନ ଭାବେ ସୁନ୍ଦରଗଡକୁ ବିଜେପି ଦଖଲ କରିଥିବା ବେଳେ ସେଠାକାର ସାଂସଦ ଜୁଏଲ ଓରାମ କେବିନେଟ୍ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । କିନ୍ତୁ , ଗତ ୨୦୧୯ରେ ପଶ୍ଚିମ ଓଡିଶାବାସୀ ସମସ୍ତ ୫ଟି ଯାକ ଲୋକସଭା ଆସନକୁ ବିଜେପିକୁ ଟେକି ଦେଇଥିଲେ । ହେଲେ ମୋଦିର ଦ୍ବିତୀୟ ପାଳି ସରକାର ଗଠନ ବେଳେ କିନ୍ତୁ , ପଶ୍ଚିମ ଓଡିଶାର ଏହି ବିପୁଳ ଜନାଦେଶକୁ ଆଦୌ ସମ୍ମାନ ଦିଆଯାଇନଥିଲା ।

ଏହି ପଶ୍ଚିମ ଓଡିଶାରୁ ନିର୍ବାଚିତ ହୋଇଥିବା ସମସ୍ତ ସାଂସଦ ଅଭିଜ୍ଞ ଏବଂ ଦକ୍ଷ ଥିବା ବେଳେ ସେଥିରୁ ଜୁଏଲ ଓରାମ , ସୁରେଶ ପୂଜାରୀ ଏବଂ ସଂଗୀତା ସିଂହଦେଓ ଜାତୀୟସ୍ତରରେ ତାଙ୍କର ଛାପ ଛାଡି ସାରିଛନ୍ତି । ଏହାଛଡା ବସନ୍ତ ପଣ୍ଡା ବି ର୍ବରୁ ରାଜ୍ୟ ସଭାପତିର ଗୁରୁଦାୟିତ୍ବ ତୁଳାଇ ସାରିଛନ୍ତି । ତଥାପି ଏମାନଙ୍କୁ ଦଳ ଯୋଗ୍ୟ ଭାବେ ମନ୍ତ୍ରୀ ପଦ ଟିଏ ଦେଲା ନାହିଁ । ଗତ ୨୦୧୯ରେ ବିଜେପି ପଶ୍ଚିମ ଓଡିଶାର ଏହି ବିପୁଳ ସମର୍ଥନ କଥାକୁ ଗୁରୁତ୍ବ ଦେଇନଥିବାରୁ ଅନ୍ତତଃପକ୍ଷେ , ଆଜିର ସଂପ୍ରସାରଣରେ ଦଳ ନ୍ୟାୟ ଦେବ ବୋଲି ଆଶା କରାଯାଉଥିଲା । ହେଲେ ଆଜିର ସଂପ୍ରସାରଣ ପରେ ପଶ୍ଚିମ ଓଡିଶାବାସୀଙ୍କୁ ଦଳ ଚରମ ଧୋକା ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସେହିପରି ବିଜେପିର ପଶ୍ଚିମ ଓଡିଶା ପ୍ରତି ଆଭିମୁଖ୍ୟକୁ ନେଇ ଏବେ ବିରୋଧୀଙ୍କୁ ସମାଲୋଚନାର ଖୋରାକ ମିଳିଯାଇଛି । ଅପରପକ୍ଷେ , ପଶ୍ଚିମ ଓଡିଶା ପ୍ରତି ବିଜେପିର ଏହି ଧୋକା ପାଇଁ ଆଗାମୀ ଦିନରେ ଦଳକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Comments are closed.