ନୂଆ କ୍ୟାବିନେଟ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍, ଅପଲୋଡ୍ ହେଲା ମୋଦି-ବିରୋଧୀ ପୁରୁଣା ଭିଡିଓ

ନୂଆଦିଲ୍ଲୀ: ମୋଦି କ୍ୟାବିନେଟରେ ସାମିଲ ହେବାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହେବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ରାତି ୧୨ଟା ୨୩ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆକ୍ରମଣାତ୍ମକ ଭାଷଣର ପୁରୁଣା ଭିଡିଓ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଏଥିରେ ସେ ମୋଦି ସରକାରଙ୍କ ବିଫଳତା ସମ୍ପର୍କରେ କହୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଗୁଡ଼ିକ ସେହି ସମୟର ଯେତେବେଳେ ସିନ୍ଧିଆ କଂଗ୍ରେସରେ ଥିଲେ ।

ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବା ନେଇ ଖବର ପ୍ରଚାରିତ ହେବା ମାତ୍ରେ ସାଇବର ଟିମ୍ କାମରେ ଲାଗିପଡିଥିଲା | କିଛି ମିନିଟ ମଧ୍ୟରେ ହ୍ୟାକିଂକୁ ରୋକିବାରେ ସାଇବର ଟିମ୍ ସଫଳ ହୋଇଥିଲା । ଏହା ସହିତ ଅପଲୋଡ୍ ହୋଇଥିବା ସିନ୍ଧିଆଙ୍କ ମୋଦି ବିରୋଧୀ ପୁରୁଣା ଭିଡିଓଗୁଡିକ ହଟାଇ ଦିଆଯାଇଥିଲା | ଯେଉଁ ସବୁ ଡାଟା ସହିତ ଟାମ୍ପରିଂ କରାଯାଇଛି ତାହା ମଧ୍ୟ ରିକଭର କରାଯାଇଛି | ତେବେ ଗ୍ବାଲିୟର ପୋଲିସ ଏ ସମ୍ପର୍କରେ ଅବଗତ ଥିବା କଥାକୁ ଅସ୍ୱୀକାର କରିଛି। ଭୋପାଳର ସିନ୍ଧିଆ ସମର୍ଥକ କୃଷ୍ଣ ଘାଟଗେ ଏହା ସ୍ପଷ୍ଟ କରିଛନ୍ତି।

Comments are closed.