ଘୁଞ୍ଚିପାରେ ଭାରତ-ଶ୍ରୀଲଙ୍କା ସିରିଜ୍‌, ଜୁଲାଇ ୧୩ ପରିବର୍ତ୍ତେ ୧୭ରୁ ଆରମ୍ଭ ହେବା ସମ୍ଭାବନା

କଲମ୍ବୋ: ଶ୍ରୀଲଙ୍କା ଟିମ୍‌ର ଦୁଇ ସଦସ୍ୟ କରୋନା ପଜିଟିଭ୍ ହେବା ପରେ ଭାରତ ସହ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବ । ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । ହେଲେ ଏବେ ଏହାକୁ କିଛି ଦିନ ଘୁଞ୍ଚାଇ ଦିଆଯିବ ବୋଲି ଜଣାପଡିଛି ।

ଦଳର ଦୁଇ ସଦସ୍ୟ କୋଭିଡ୍ ପଜିଟିଭ୍ ହେବା ପରେ ଶ୍ରୀଲଙ୍କା ବୋର୍ଡ ନିଜ ଖେଳାଳିଙ୍କ କ୍ୱାରେଣ୍ଟାଇନ ଅବଧି ବଢାଇ ଦେଇଛି । ତେଣୁ ଭାରତ ବିପକ୍ଷ ସିରିଜ କିଛି ଦିନ ଘୁୃଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । ଜୁଲାଇ ୧୩ ପରିବର୍ତ୍ତେ ୧୭ ତାରିଖରୁ ଏହି ସିରିଜ ଆରମ୍ଭ ହୋଇପାରେ । ଦ୍ୱିତୀୟ ଦିନିକିଆ ଜୁଲାଇ ୧୯ ଏବଂ ତୃତୀୟ ଦିନିକିଆ ଜୁଲାଇ ୨୧ରେ ଖେଳାଯିବ । ଟି୨୦ ସିରିଜ ଜୁଲାଇ ୨୪ରୁ ଆରମ୍ଭ ହେବା ସମ୍ଭାବନା ରହିଛି । କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଶ୍ରୀଲଙ୍କା ବୋର୍ଡ ବିସିିସିଆଇକୁ ଜଣାଇଛି ।
ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ୍ ଫ୍ଲାୱାରଙ୍କ ପରେ ଶୁକ୍ରବାର ଶ୍ରୀଲଙ୍କା ଦଳର ଡାଟା ଆନାଲିଷ୍ଟ୍ ଜିଟି ନିରୋଶାନ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଇଂଲଣ୍ଡ ଗସ୍ତରୁ ଫେରିବା ପରେ ଗୁରୁବାର ଶ୍ରୀଲଙ୍କା ଦଳର ଖେଳାଳି, କୋଚ୍ ଓ ଅନ୍ୟ ସଦସ୍ୟଙ୍କ ପିସିଆର ଟେଷ୍ଟ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଇଂଲଣ୍ଡ ଦଳରେ ସାତ ଜଣ କରୋନା ପଜିଟିଭ୍ ହୋଇଥିଲେ । ଇଂଲଣ୍ଡରୁ ଫେରିବା ପରେ ଶ୍ରୀଲଙ୍କା ଖେଳାଳିମାନେ ମଧ୍ୟ ନିଜ ପିସିଆର ରିପୋର୍ଟ ନେଇ ଆଶଙ୍କାରେ ଥିଲେ । ଏଯାବତ୍ ଦଳରେ ଦୁଇଟି ମାମଲା ଚିହ୍ନଟ ହୋଇଛି । ଭାରତ ବିପକ୍ଷ ସିରିଜ ପାଇଁ ଶ୍ରୀଲଙ୍କା ଖେଳାଳିମାନେ ଶୁକ୍ରବାର ଠାରୁ ବାୟୋ ବବଲରେ ପ୍ରବେଶ କରିବାର ଥିଲା । କିନ୍ତୁ ଦୁଇ କରୋନା ମାମଲା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଆଉ ଦୁଇ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।

ଇଂଲଣ୍ଡରୁ ଫେରିବା ପରେ ଶ୍ରୀଲଙ୍କା ସବୁ ଖେଳାଳି ଓ ଷ୍ଟାଫ୍ କଠୋର କ୍ୱାରେଣ୍ଟାଇନରେ ଅଛନ୍ତି । ପଜିଟିଭ୍ ହୋଇଥିବା ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାରଙ୍କୁ ଦଳ ଠାରୁ ଅଲଗା ରଖାଯାଇଛି । ଫ୍ଲାୱାର ହେଉଛନ୍ତି ଜିମ୍ବାୱେର ପୂର୍ବତନ ବ୍ୟାଟ୍ସମ୍ୟାନ୍ । ଶ୍ରୀଲଙ୍କା ଦଳ ସହ ଫ୍ଲାୱାର ଇଂଲଣ୍ଡ ଗସ୍ତରେ ଯାଇଥିଲେ । ଇଂଲଣ୍ଡରେ ଶ୍ରୀଲଙ୍କା ଟିମ୍ ଉଭୟ ଦିନିକିଆ ଓ ଟି୨୦ ସିରିଜରେ ପରାସ୍ତ ହୋଇଥିଲା । ସେହି ଗସ୍ତରେ କୋଭିଡ୍‌-୧୯ ପ୍ରୋଟୋକଲ ଉଲ୍ଲଂଘନ କରିଥିବାରୁ ପୂର୍ବରୁ ତିନି ଖେଳାଳିଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

Comments are closed.