ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ‘ଶ୍ରୀଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ନିକଟରେ ୧୦୦ ଜଣ ଶିଳ୍ପୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ଶ୍ରୀଜଗନ୍ନାଥ ଓ ରଥଯାତ୍ରା ’ ଶୀର୍ଷକ ଚିତ୍ରକଳା ଶିବିରର କଳାକୃତିଗୁଡ଼ିକୁ ନେଇ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀର ଶୀର୍ଷକ ‘ଶ୍ରୀଗୁଣ୍ଡିଚା’ ରହିଥିବାବେଳେ ଏଥିରେ ଜଗନ୍ନାଥଙ୍କ କାହାଣୀ ଓ ରଥଯାତ୍ରା ସମ୍ବଳିତ ୧୦୦ଟି ଚିତ୍ର , ଭାସ୍କର୍ଯ୍ୟ ଓ ମୁଦ୍ରଣ କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶା ଲଳିତ କଳା ଏକାଡେମୀର ଫେସ୍‌ବୁକ୍ ଓ ୟୁଟ୍ୟୁବ୍‌ରେ ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି ।

ଏହି ପ୍ରଦର୍ଶନୀକୁ ପର୍ଯ୍ୟଟନ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିବା ଅବସରରେ କୋଭିଡ୍ –୧୯ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ଶିଳ୍ପୀମାନଙ୍କୁ ଚଳଚଞ୍ଚଳ କରିବା ସହ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରୟାସକୁ ପ୍ରଶଂସା କରିଥିଲେ । ଉତ୍କଳର କଳା-ସସ୍କୃତିର ନିଦର୍ଶନ ତଥା ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଶିଳ୍ପୀମାନଙ୍କ କଳାକୃତି ଓଡ଼ିଶାରେ ଆଦୃତ ହେବା ସହ ଭାରତ ତଥା ବିଦେଶରେ ଏହି କଳାକୃତି ମାଧ୍ୟମରେ ଶ୍ରୀଜଗନ୍ନାଥ ଧର୍ମର ବହୁଳ ପ୍ରଚାରପ୍ରସାର ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀଜଗନ୍ନାଥଙ୍କର ଅପାର କରୁଣା ମାନବ ଜାତିକୁ ମହାମାରୀରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ କୋଭିଡ୍ ସମୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ପ୍ରଦର୍ଶିତ ‘ ଶ୍ରୀଜଗନ୍ନାଥ ଓ ରଥାଯାତ୍ରା ’ ଶୀର୍ଷକ ବିଷୟ ଉପରେ ଆଧାରିତ ଚିତ୍ରକଳାଗୁଡ଼ିକ ବେଶ୍ ପ୍ରଶଂସୀୟ ହୋଇଥିବାବେଳେ ଏହା ମାଧ୍ୟମରେ ଜନସାଧାରଣ ଓ କଳାନୁରାଗୀମାନେ ଦେଖିବାର ସୁଯୋଗ ପାଇପାରିବେ ବୋଲି ମତପ୍ରକାଶ କରିଥିଲେ ।

ଏକାଡେମୀର ସଭାପତି ପଦ୍ମଶ୍ରୀ ଡ . ସୁଦର୍ଶନ ପଟ୍ଟନାୟକ ଏହି ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜୁନ ୩୦ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ୧୦୦ ଜଣ ଶିଳ୍ପୀ ଘରେ ରହି ଭର୍ଚୁଆଲ୍ ମାଧ୍ୟମରେ ଏକ ଶିବିରରେ ଅଂଶଗ୍ରହଣ କରି ଅଙ୍କନ ତଥା ନିର୍ମାଣ କରିଥିବା କଳାକୃତିଗୁଡ଼ିକ ଏହି ଭର୍ଚୁଆଲ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଥିବା ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପସଭାପତି ଶ୍ରୀନିବାସ ପଢ଼ିହାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ସ୍ଵାଗତ ଭାଷଣ ଦେଇଥିବାବେଳେ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓ.ଏସ୍.ଡି ମନସ୍ଵିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.