ସେପ୍ଟେମ୍ୱରରୁ ସ୍ପୁଟନିକ୍-ଭି’ର ଉତ୍ପାଦନ କରିବ ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟରେ ସେପ୍ଟେମ୍ୱରରୁ ରୁଷୀୟ ଟିକା ସ୍ପୁଟନିକ୍-ଭି ର ଉତ୍ପାଦନ ଆରମ୍ଭ ହେବ। ଏହି ଟିକାର ନିର୍ମାତା ରଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଆରଡିଆଇଏଫ୍) କହିଛି ଯେ, ଭାରତରେ ପ୍ରତିବର୍ଷ ଏହି ଟିକାର ୩୦୦ ନିୟୁତ ଡୋଜ୍ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି। ଟେକ୍ନୋଲୋଜି ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଛି ଏବଂ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଟିକା ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି |

ଏହି ବିଷୟରେ ସୂଚନା ପ୍ରଦାନ କରି ଭାରତର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା କହିଛନ୍ତି, ସ୍ପୁଟନିକ୍-ଭି ଟିକା ପାଇଁ ଆରଡିଆଇଏଫ୍ ସହ ଭାଗିଦାରୀ କରି ମୁଁ ବହୁତ ଖୁସି। ଆସନ୍ତା ମାସରେ ଲକ୍ଷ ଲକ୍ଷ ଡୋଜ୍ ପ୍ରସ୍ତୁତ କରିବାକୁ ଆମେ ଆଶା କରୁଛୁ | ସେପ୍ଟେମ୍ବର ମାସରେ ଟ୍ରାଏଲ୍ ବ୍ୟାଚ୍ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ସମ୍ପ୍ରତି ଅକ୍ସଫୋର୍ଡ୍-ଆଷ୍ଟ୍ରାଜେନେକା ଟିକା ଉତ୍ପାଦନ କରୁଛି । ଏହି ଟିକା ଭାରତରେ ‘କୋଭିଶିଲ୍ଡ’ ଭାବେ ବ୍ୟବହାର କରାଯାଉଛି । ଏହାଛଡା ଆମେରିକୀୟ ଟିକା କୋଭାଭାକ୍ସ ଟିକା ମଧ୍ୟ ନିର୍ମାଣ କରିବ ସେରମ୍ ।

Comments are closed.