ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ନିଜ ଦଳକୁ ଅଡୁଆରେ ପକାଇଦେଲେ ବିଜେପି ସଭାପତି : ବିଜେଡି

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦୁର୍ଭାଗ୍ୟବଶତଃ ନିଜ ଦଳକୁ ଅଡୁଆରେ ପକାଇ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ ଏବେ ରକ୍ତଚାଉଳ ଚୋବାଉଥିବା ସେ ଭୁଲିଯାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଭଲ ହୋଇଥାନ୍ତା ଯଦି ଦରଦାମ ବୃଦ୍ଧି ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧିରେ ନିୟନ୍ତ୍ରଣ କରିବାରେ ନିଜ ଦଳର ବିଫଳତା ପାଇଁ ମହାନ୍ତି ଦୁଃଖ ପ୍ରକାଶ କରିଥାନ୍ତେ । ଚଳିତ ବର୍ଷ ଏପ୍ରିଲ ମାସରେ ବିଜେପି ଶାସିତ ରାଜ୍ୟମାନେ କିପରି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଛନ୍ତି ତାହା ବିଜେଡି ଗଣମାଧ୍ୟମରେ ପ୍ରକାଶ କରିଥିଲା । ବିଜେପି ଶାସିତ ରାଜ୍ୟ ବିହାର ୨୬ ମାର୍ଚ୍ଚ ୨୦୨୧ରେ ବିଦ୍ୟୁତ୍ ପ୍ରତି ୟୁନିଟ୍ ପିଛା ୩୫ ପଇସା ବୃଦ୍ଧି କରିଛି । ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଗତବର୍ଷ ୟୁନିଟ୍ ପିଛା ୬୪ ପଇସା ବୃଦ୍ଧି କରିଛି । ଅନ୍ୟ ଏକ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଗତବର୍ଷ ବିଦ୍ୟୁତ୍ ଦର ଯଥେଷ୍ଟ ବୃଦ୍ଧି କରିଥିଲା । ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଗତବର୍ଷ ନଭେମ୍ବର ୧ ତାରିଖ ଠାରୁ ୟୁନିଟ୍ ପିଛା ବିଦ୍ୟୁତ୍ ଦର ପ୍ରାୟ ୪୦ ପଇସା ବୃଦ୍ଧି କରିଛି । ସତ କହିବା ପରିବର୍ତ୍ତେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବିଜେପି ଶସ୍ତା ରାଜନୀତି କରୁଥିବା ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

ଓଡିଶାର ଲୋକମାନେ ଏବେ ବିଜେପିର ଏଭଳି କୁମ୍ଭୀର କାନ୍ଦଣାରେ ଅଭ୍ୟସ୍ତ ହେବା ସହିତ ସେମାନଙ୍କ କଥାକୁ ଆଉ ଗୁରୁତ୍ୱର ସହ ନେଉନାହାନ୍ତି । ଗଣମାଧ୍ୟମ ଜରିଆରେ ସମୀର ମହାନ୍ତି ତାଙ୍କ ଦଳର ହତାଶ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଏବଂ ତାଙ୍କ ଦଳକୁ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରଖିବାକୁ ଚେଷ୍ଟା କରୁଛନ୍ତି । ଓଡିଶାର ଲୋକମାନେ ମଧ୍ୟ ଏହା ଭଲଭାବେ ଜାଣିଗଲେଣି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

Comments are closed.