ପ୍ରଶଂସା ଗୋଟାଇବା ଲକ୍ଷ୍ୟରେ ହୀନସ୍ତା ହେଲେ ସମ୍ବିତ

ଧରା ପଡିଗଲେ ଛଦ୍ମବେଶୀ

ଭୁବନେଶ୍ୱର : କଥାରେ ଅଛି , ବିଚ୍ଛା ମନ୍ତ୍ର ନଜାଣି ସାପ ବିଲରେ ହାତ … । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅବସ୍ଥା ଏବେ ସେହିଭଳି ହୋଇଛି । ପୁରୀବାସୀ ତଥା ସମଗ୍ର ଓଡ଼ିଆଙ୍କ ଠାରୁ ପ୍ରଶଂସା ଗୋଟାଇବା ଲକ୍ଷ୍ୟରେ ପୁଣି ଥରେ ଛଦ୍ମବେଶୀ ଭୂମିକା ନିଭାଉ ନିଭାଉ ସେ ଅକଳରେ ପଡିଯାଇଛନ୍ତି । ଦିନେ ନାଇଁ କାଳେ ନାଇଁ ଗହ୍ମା ପୁନେଇରେ ମାଇଁ ମାଇଁ ଭଳି ବିଭିନ୍ନ ସମୟରେ କାଳିଆ ଭକ୍ତି ଦେଖାଇ ସମ୍ବିତ ବାରମ୍ବାର ସମାଲୋଚନାର ଶିକାର ହୋଇଆସିଛନ୍ତି । ହେଲେ ବର୍ତ୍ତମାନ ପୁଣି ଥରେ ଛଦ୍ମବେଶରେ ଲୋକଙ୍କ ମନ କିଣିବାକୁ ଯାଇ ସ୍ଵୟଂ ଜଗତର ନାଥ ଜଗନ୍ନାଥଙ୍କୁ ସାଂଘାତିକ ଅପମାନ କରି ଦେଇଛନ୍ତି ଏହି କୁହାଳିଆ ଯୁବ ନେତା । ପ୍ରସିଦ୍ଧ କଣ୍ଠଶିଳ୍ପୀ କୈଳାସ ଖେରଙ୍କ ସହ ସେ ଗାଇଥିବା ଜଗନ୍ନାଥାଷ୍ଟକମର ପ୍ରାରମ୍ଭରୁ ଗୁରୁ ଚାଣ୍ଡାଳ ଦୋଷ କରି ଦେଇଛନ୍ତି । ବିଜେପି ଏହାକୁ ନିଜର ଦଳର ବିରାଟ ଉପଲବ୍ଧି ଭଳି ପ୍ରଚାର କରୁଥିବା ବେଳେ ସୋସିଆଲ ମିଡିଆରେ ଜଗନ୍ନାଥପ୍ରେମୀଙ୍କ ଦ୍ଵାରା ସମ୍ବିତ ସାଂଘାତିକ ଶରବ୍ୟର ଶିକାର ହେଉଥିବା ଦେଖିବାକୁ ମିଳିଛି ।

ଗତ ୨୦୧୯ରେ ଅଚାନକ ବିଜେପି ତାର କୁହାଳିଆ ତଥା ମୋଦିଙ୍କ ପ୍ରଶସ୍ତିରେ ସବୁ ଟିଭିରେ ଶତମୁଖ ହେଉଥିବା ସମ୍ବିତ ପାତ୍ରଙ୍କୁ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା । ଏହା ପୂର୍ବରୁ ପୁରୀବାସୀ ପ୍ରାୟତ କେହି ସମ୍ବିତଙ୍କୁ ସ୍ବଚକ୍ଷୁରେ କେବେ ଦେଖିନଥିଲେ । କେବଳ ଖବର ସହିତ ଆଗ୍ରହ ରଖୁଥିବା ଶିକ୍ଷିତ ଲୋକେ ଟିଭିରେ ଦେଖିଥିଲେ । ହେଲେ ଟିକଟ୍ ପାଇବା ମାତ୍ରେ ସମ୍ବିତ ତୁରନ୍ତ ଛଦ୍ମବେଶ ଧାରଣ କରି ଦେଇଥିଲେ । ନିଜକୁ ଜଣେ ପ୍ରଚଣ୍ଡ ଜଗନ୍ନାଥ ଭକ୍ତ ଭଳି ପରିଚୟ ଦେବାକୁ ଯାଇ ସେ ପୁରୀ ପଣ୍ଡା ଭଳି ବେଶ ଧାରଣ କରି ବୁଲିବା ଆରମ୍ଭ କରି ଦେଇଥିଲେ । ଏପରିକି ନିଜ ନାମାଙ୍କନ ଦାଖଲ ବେଳେ ବି ସେ ଧୋତି ଗାମୁଛାରେ ଦୃଶ୍ୟମାନ ହୋଇଥିଲେ । ଖାଲି ସେତିକି ନୁହେଁ , ରାଲିରେ ଜଗନ୍ନାଥଙ୍କ ମୂର୍ତ୍ତିକୁ କାଖେଇ ସେ ବିବାଦ ଘେରକୁ ଆସିଥିଲେ । ଆଉ ପ୍ରଚାର ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସେହି ପରିଧାନରେ ଗରିବ ଘରେ ଖାଇବାରୁ ଆରମ୍ଭ କରି ଲୋକଙ୍କୁ କୁଣ୍ଡାଇବା ଆଦି ପ୍ରତିଟି କାମରେ ତାଙ୍କ ଛଦ୍ମବେଶୀ ଚେହେରାକୁ ଲୋକେ ମର୍ମେ ମର୍ମେ ଅନୁଭବ କରିଥିଲେ । ଏହାର ପରିଣାମ ସ୍ବରୂପ ବିପୁଳ ଅର୍ଥର ପ୍ରୟୋଗ ସତ୍ତ୍ୱେ ତାଙ୍କୁ ଭୋଟ୍‌ରେ ପରାଜିତ ହେବାକୁ ପଡିଥିଲା ।

ତେବେ , ପରାଜୟ ପରେ ତାଙ୍କୁ ପୁରୀରେ କ୍ବଚିତ ଦେଖିବାକୁ ମିଳିଛି । ହେଲେ ଗତବର୍ଷ ଖୋଦ୍ କେନ୍ଦ୍ର ସରକାର ପୁରୀରେ ରଥଯାତ୍ରାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରି ଧରା ପଡ଼ିବା ପରେ ନିଜେ ସମ୍ବିତ ବାବୁ ନିଜର ତଥା ଦଳୀୟ ଛବିକୁ ସୁଧାରିବାକୁ ରଥଯାତ୍ରା ସପକ୍ଷରେ ପିଟିସନ୍ ଦାଖଲ କରିଥିଲେ । ଏହି କୁସିତ ଚକ୍ରାନ୍ତକୁ ବି ପୁରୀରୁ ଆରମ୍ଭ କରି ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଥିଲେ ।

ଆଉ ଏବେ ପୁଣି ଥରେ ଓଡିଆ ବିଶେଷ କରି ପୁରୀବାସୀଙ୍କ ମନ କିଣିବାକୁ ଗୈରିକ ବସ୍ତ୍ର ପରିଧାନ କରି ଭିଡିଓ ଆଲବମରେ ଜଗନ୍ନାଥାଷ୍ଟକମ୍ ଗାଇଛନ୍ତି । ପ୍ରସିଦ୍ଧ କଣ୍ଠଶିକ୍ସ ପଦ୍ମଶ୍ରୀ କୈଳାସ ଖେରଙ୍କ ସହିତ ସେ ଏହି ଗୀତ ଗାଇଥିବା ବେଳେ ଏହି ଆଲବମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି । ତେବେ , ଏହି ଆଲବମରେ ଜଗନ୍ନାଥାଷ୍ଟକମକୁ ଭୁଲ ଭାବେ ପରିବେଷଣ କରି ସମ୍ବିତ ଏବେ ସାଂଘାତିକ ସମାଲୋଚନାର ଶିକାର ହୋଇଛନ୍ତି ।

ଏଥିରେ ‘ କଦାଚିତ୍ କାଳିନ୍ଦୀତଟ ବିପିନ – ସଂଗୀତ – କରବୋ… ‘ ସ୍ଥାନରେ ସେ ‘ ସଂଗୀତ – ତରଲୋ’ ଉଚ୍ଚାରଣ କରି ଦେଇଛନ୍ତି । ଫଳରେ ଏହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଏହା ସ୍ଵୟଂ ଜଗନ୍ନାଥଙ୍କୁ ଅପମାନ ବୋଲି ସବୁ ବୁଦ୍ଧିଜୀବୀ ମହଲ ସୋସିଆଲ ମିଡିଆରେ ସମାଲୋଚନା କରୁଛନ୍ତି । ସେପଟେ , ନିଜର ଦଳୀୟ ପ୍ରଚାର ଭାବେ ବିଜେପି ଏହି ଆଲବମର ପ୍ରଚାର କରୁଥିବା ବେଳେ ପରୋକ୍ଷରେ ଏହା ଦଳ ପାଇଁ ଆତ୍ମଘାତୀ ହେବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

Comments are closed.