କାଉଡ଼ିଆ ଯାତ୍ରାକୁ ଅନୁମତି ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ମାମଲାର ସ୍ବତଃ ସଜ୍ଞାନ ନେବା ପୂର୍ବକ ଜଷ୍ଟିସ ରୋହିଣ୍ଟନ ଏଫ୍ ନରିମାନଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ୟୁପି ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଜୁଲାଇ ୧୬ରେ ଏହି ମାମଲାର ଶୁଣାଣି ହେବ।

ଯୋଗୀ ଆଦିତ୍ୟନାଥ ସରକାର ମଙ୍ଗଳବାର ଦିନ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି ଜୁଲାଇ ୨୫ ରୁ ରାଜ୍ୟରେ କାଉଡ଼ିଆ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି।

ଅନ୍ୟପକ୍ଷେ ତୃତୀୟ ଲହରିର ସମ୍ଭାବନାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ କାଉଡ଼ିଆ ଯାତ୍ରାକୁ ବାତିଲ କରିଛନ୍ତି।

ଚଳିତ ବର୍ଷ ମହା କୁମ୍ବ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଉତ୍ତରାଖଣ୍ଡ ସରକାରଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଦେଶର ଅନେକ ରାଜ୍ୟରେ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.