ଟିମ୍ ଇଣ୍ଡିଆରେ କରୋନା ସଙ୍କଟ, ଜଣେ ଖେଳାଳି ପଜିଟିଭ୍

ଲଣ୍ଡନ: ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ସଙ୍କଟରେ ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଦଳର ଜଣେ ସିନିୟର୍ ଖେଳାଳି କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଏହି ଖେଳାଳିଙ୍କୁ ଅଲଗା ରଖାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି, ସେ ହୋମ୍ ଆଇସୋଲେସନରେ ଅଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଖେଳାଳି ଗଳାରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା |

ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ଯେଉଁମାନେ ଏହି ଖେଳାଳିଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ ତିନି ଦିନ ପାଇଁ ସଙ୍ଗରୋଧରେ ରହିବେ | ଏହି ଅବଧି ସମାପ୍ତ ହେବା ପରେ ଏହି ଖେଳାଳିମାନେ ଦଳ ଶିବିରର ଯୋଗ ଦେଇପାରିବେ | ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ସ୍ଥିତି ଉପରେ ନଜର ରଖିଛନ୍ତି ।

ଭାରତୀୟ ଦଳରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଇସିବି କିମ୍ବା ବିସିସିଆଇ ଏପର୍ଯ୍ୟନ୍ତ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହାଁନ୍ତି। ଅଗଷ୍ଟ ୪ରୁ ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ |

ଉଲ୍ଲେଖଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ‌‌‌‌‌ପରେ ଭାରତୀୟ ଖେଳାଳିଙ୍କୁ ୨୦ ଦିନ ଛୁଟି ମିଳିଥିଲା । ଦଳର ଖେଳାଳି ଲଣ୍ଡନ ଏବଂ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ନିଜ ପରିବାର ଓ ବନ୍ଧୁଙ୍କ ସହ ଛୁଟି ବିତାଇଥିଲେ । କିଛି ଖେଳାଳି ୟୁରୋ କପ୍ ଫୁଟବଲ୍ ମଧ୍ୟ ଦେଖିବାକୁ ଯାଇଥିଲେ । ଭାରତୀୟ ଦଳର ଏହି ଛୁଟି ଆଜି ଶେଷ ହେଉଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଆଜିଠାରୁ ଡରହମରେ ଦଳର ଅଭ୍ୟାସ ଶିବିର ଆରମ୍ଭ ହେବ । ତେବେ ଦଳରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତା ବଢିଯାଇଛି ।

ନିକଟରେ ଇଂଲଣ୍ଡର ୩ ଖେଳାଳିଙ୍କ ସହ ସାତ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ହୋଇଥିଲେ । ଫଳରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ପୂରା ଟିମ୍ କ୍ବାରେଣ୍ଟାଇନରେ ରହିବାକୁ ପଡିଥିଲା ଏବଂ ସେହି ସିରିଜ ପାଇଁ ଇଂଲଣ୍ଡ ବୋର୍ଡ ନୂଆ ଦଳ ଘୋଷଣା କରିଥିଲା ।

Comments are closed.