ସ୍ପଷ୍ଟ କଲା ବିସିସିଆଇ, କରୋନା ଆକ୍ରାନ୍ତ ହୋଇଛନ୍ତି ରିଷଭ ପନ୍ତ; ଅନ୍ୟ ଖେଳାଳି ପ୍ରଭାବିତ ହୋଇନାହାନ୍ତି

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ ଖେଳାଳି କରୋନା ପଜିଟିଭ୍ ହୋଇଥିବା ଖବର ସ୍ପଷ୍ଟ କରିଛି ବିସିସିଆଇ । କରୋନା ସଂକ୍ରମିତ ହୋଇଥିବା ଖେଳାଳି ହେଉଛନ୍ତି ୱିକେଟକିପର ବ୍ୟାଟ୍‌ସମ୍ୟାନ୍ ରିଷଭ ପନ୍ତ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଠାରୁ ଡରହମରେ ଭାରତୀୟ ଦଳର ଅଭ୍ୟାସ ଶିବିର ଆରମ୍ଭ ହେଉଛି । ତେବେ ପନ୍ତ ଭାରତୀୟ ଦଳ ସହ ଏବେ ଡରହମ୍ ଯିବେ ନାହିଁ ବୋଲି ବିସିସିଆଇ କହିଛି ।

କରୋନା ପଜିଟିଭ୍ ହେବା ପରେ ପନ୍ତ ଗତ ୮ ଦିନ ଧରି ଆଇସୋଲେସନରେ ଅଛନ୍ତି । ତାଙ୍କ ଠାରେ ଏହି ରୋଗର କୌଣସି ଲକ୍ଷଣ ନାହିଁ । ସମ୍ପ୍ରତି ସେ ଜଣେ ସମ୍ପର୍କିୟଙ୍କ ଘରେ ସଙ୍ଗରୋଧରେ ଅଛନ୍ତି । ପନ୍ତ୍ ଏବେ ଦଳ ସହ ଡରହମ ଯିବେ ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ତେବେ ଭାରତୀୟ ଦଳ ସହ ସେ କେବେ ଯୋଗଦେବେ ସେନେଇ ସେ କିଛି କହି ନାହାନ୍ତି ।

ବ୍ରିଟେନରେ କରୋନା ସଂକ୍ରମଣ ବଢୁଥିବା ନେଇ ନିକଟରେ ବିସିସିଆଇ ସମ୍ପାଦକ ଜୟ ଶାହ ଇ-ମେଲ ଜରିଆରେ ଭାରତୀୟ ଦଳକୁ ସତର୍କ କରାଇଥିଲେ । କୋଭିଡ୍ ପ୍ରୋଟୋକଲ କଡ଼ାକଡି ପାଳନ କରିବାକୁ ଶାହ ଭାରତୀୟ ଦଳକୁ ପରାମର୍ଶ ଦେଇଥିଲେ । ଏହାର କିଛି ଦିନ ପରେ ଜଣେ ଭାରତୀୟ ଖେଳାଳି ଏହି ଘାତକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପରେ ଭାରତୀୟ ଖେଳାଳିଙ୍କୁ ୨୦ ଦିନିଆ ଛୁଟି ମିଳିଥିଲା । ଏହି ଛୁଟି ଅବଧି ଆଜି ଶେଷ ହେଉଛି ।

ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, ଏଯାବତ କେବଳ ଜଣେ ଖେଳାଳି ପଜିଟିଭ୍ ହୋଇଛନ୍ତି । ସେ ଗତ ୮ ଦିନ ଧର ଆଇସୋଲେସନରେ ଅଛନ୍ତି । ସେ ଟିମ୍ ହୋଟେଲରେ ରହୁନଥିଲେ । ତେଣୁ ଅନ୍ୟ ଖେଳାଳି ପ୍ରଭାବିତ ହୋଇନାହାନ୍ତି । ଆଉ କୌଣସି ଖେଳାଳି ପଜିଟିଭ୍ ହୋଇନାହାନ୍ତି ବୋଲି ଶୁକ୍ଲା ସ୍ପଷ୍ଟ କରିଛନ୍ତି । ଶୁକ୍ଲା କହିଛନ୍ତି ଯେ, ନିକଟରେ ବିସିସିଆଇ ସମ୍ପାଦକ ଜୟ ଶାହା ଭାରତୀୟ ଦଳକୁ ଇ-ମେଲ୍ ମାଧ୍ୟମରେ ବ୍ରିଟେନରେ କରୋନା ମାମଲା ବୃଦ୍ଧି ନେଇ ଚେତାଇଥିଲେ । ଖେଳାଳି ମାନଙ୍କୁ ୱିମ୍ବଲଡନ ଏବଂ ୟୁରୋ କପ୍ ଦେଖିବାକୁ ନ ଯିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେଉଛି । ଏହି ସିରିଜ ପୂର୍ବରୁ ଡରହମରେ ଭାରତ ଜୁଲାଇ ୨୦ରୁ କାଉଣ୍ଟି ଦଳ ବିପକ୍ଷରେ ଗୋଟିଏ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ । ଏହାପରେ ଏକ ଆନ୍ତଃ ଦଳୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ ।

Comments are closed.