ନୂଆଦିଲ୍ଲୀ: ରାଜଦ୍ରୋହ ଆଇନର ପ୍ରାସଙ୍ଗିକତା ନେଇ ଆଜି ସୁପ୍ରିମକୋର୍ଟ କେନ୍ଦ୍ରକୁ ଅନେକ ପ୍ରଶ୍ନ କରିଛନ୍ତି । ଏହାକୁ ଏକ ଔପନିବେଶିକ ଆଇନ ଭାବେ ଅଭିହିତ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଏହି ଆଇନ ବ୍ରିଟିଶମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦମନ କରିବା ପାଇଁ ଆଣିଥିଲେ । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶରେ ଏହି ଆଇନର କଣ ଆବଶ୍ୟକତା ରହିଛି? ଏହାକୁ କାହିଁକି ଉଚ୍ଛେଦ କରାଯିବ ନାହିଁ ବୋଲି କେନ୍ଦ୍ରକୁ ପଚାରିଛନ୍ତି ସୁପ୍ରିମକୋର୍ଟ ।
ରାଜଦ୍ରୋହ ଆଇନ ଏକ ଔପନିବେଶିକ ଆଇନ, ଯାହା ଆମ ସ୍ୱାଧୀନତାକୁ ଦମନ କରିବା ପାଇଁ ବ୍ୟବହାର କରାଯାଇଥିଲା । ଏହି ଆଇନକୁ ମହାତ୍ମା ଗାନ୍ଧି ଏବଂ ବାଲ ଗଙ୍ଗାଧର ତିଳକ ଭଳି ସ୍ୱାଧୀନତା ସଂଗ୍ରମାର ପୁରୋଧାଙ୍କ ବିରୋଧରେ ଲାଗୁ କରାଯାଇଥିଲା ବୋଲି କୋର୍ଟ କହିଛନ୍ତି । ଏହି ଆଇନର ପ୍ରାସଙ୍ଗିକତାର ତର୍ଜ୍ଜମା କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହ ଏନେଇ କେନ୍ଦ୍ରର ଜବାବ ତଲବ କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ରାଜଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରି ଅନେକ ପିଟିସନ ରୁଜୁ ହୋଇଛି । ଏହି ସବୁ ପିଟିସନର ଏକକାଳୀନ ଶୁଣାଣି ହେବ । ଏହି ଆଇନର ସମ୍ପ୍ରତି ଅପବ୍ୟବହାର କରାଯାଉଛି । ସରକାରଙ୍କ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହକୁ ଦମନ କରିବା ପାଇଁ ରାଜଦ୍ରୋହ ଆଇନକୁ ଅସ୍ତ୍ର କରାଯାଉଛି । କିନ୍ତୁ କାର୍ଯ୍ୟନିର୍ବାହୀ ଏଥିପ୍ରତି ଉତ୍ତରଦାୟୀ ହେଉ ନାହିଁ ବୋଲି ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ।
Comments are closed.