ବାଲୁଗାଁ ଦୁର୍ଘଟଣା ଚିକିତ୍ସାଧୀନଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ବ୍ରହ୍ମପୁର: ଶନିବାର ଭୋରରେ ବାଲୁଗାଁ – ବାଣପୁର ନିକଟରେ ପିକନିକ ଗାଡ଼ି ଦୁର୍ଘଟଣାରେ ପ୍ରାୟ ୬ ଜଣ ଗୁରୁତର ବା ସାମାନ୍ୟ ଆହତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣା ଖବର ପାଇବା ପରେ ବ୍ରହ୍ମପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ଅଧିକାରୀ (ଓଏସଡି) ଡ. ଗୋପବନ୍ଧୁ ଦାସ ହସପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହିତ ସେମାନଙ୍କୁ କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ, ସେ ନେଇ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ମୃତାହତମାନେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବାସିନ୍ଦା। ଡ. ଦାସ ଉକ୍ତ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି। ଯଦିଓ ସେ ଏକ ସଭାରେ ଯୋଗ ଦେବାକୁ ବ୍ରହ୍ମପୁର ସହରକୁ ଆସିଥିଲେ, କିନ୍ତୁ ଏହି ଖବର ପାଇବା ମାତ୍ରେ ଦୁର୍ଘଟଣାର ଶିକାର ଲୋକ ତଥା ସେମାନଙ୍କ ପରିଜନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଭଲ ମନ୍ଦ ବୁଝିଛନ୍ତି। ଏଥିସହ ସେ ତିନି ମୃତକଙ୍କ ଗାଁକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସମବେଦନା ଜଣାଇଛନ୍ତି।

Comments are closed.