ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶରେ ଜଣାଶୁଣା ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କର ମୃତ୍ୟୁ ହୋଇଛି। ସେ ନ୍ୟୁଜ୍ ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିଲେ ‌‌।

ରିପୋର୍ଟିଂ ପାଇଁ ଆଫଗାନିସ୍ତାନ ଯାଇଥିବା ୪୦ ବର୍ଷୀୟ ସିଦ୍ଦିକି ଗୁରୁବାର ରାତିରେ କାନ୍ଦାହାରର ସ୍ପିନ୍ ବୋଲଡାକ୍ ଅଞ୍ଚଳରେ ଆଫଗାନିସ୍ତାନ ସେନାର ଏକ ଗାଡ଼ିରେ ଥିଲେ।
ଆଫଗାନିସ୍ତାନର ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ସମୟରେ ସେ ଏକ ହିଂସାତ୍ମକ ସଂଘର୍ଷର ଶିକାର ହୋଇଥିଲେ । ଭାରତରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜାଏ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

ତାଲିବାନ ବୁଧବାର ସ୍ପିନ୍ ବୋଲଡାକ୍ ସହର ଏବଂ ସେଠାରେ ପାକିସ୍ତାନ ସଂଲଗ୍ନ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ପୋଷ୍ଟକୁ କବଜା କରିଥିଲା।

ମୃତ୍ୟୁର ଦୁଇ ଦିନ ପୂର୍ବରୁ, ସିଦ୍ଦିକି କ୍ରମାଗତ ଭାବେ ନିଜ ଟ୍ୱିଟରରେ ସେ ରିପୋର୍ଟ କରୁଥିବା ଚ୍ୟାଲେଞ୍ଜିଂ ପରିସ୍ଥିତି ସମ୍ପର୍କରେ ସୂଚନା ଦେଉଥିଲେ। ଏକ ଆକ୍ରମଣରୁ ସେ କିପରି ଅଳ୍ପକେ ବଞ୍ଚିଥିଲେ ତାହା ବିଷୟରେ ସେ କହିଥିଲେ।

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଇନଷ୍ଟାଗ୍ରାମରେ କାନ୍ଦାହାର ସଂଘର୍ଷର ଅନେକ ଫଟୋ ସେୟାର କରିଥିଲେ।

ଦିଲ୍ଲୀର ବାସିନ୍ଦା ଡାନିଶ୍ ସିଦ୍ଦିକି ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଥିଲେ।

୨୦୧୮ରେ ରୋହିଙ୍ଗ୍ୟା ସଙ୍କଟ ଉପରେ ତାଙ୍କର ଫଟୋଗ୍ରାଫ୍ ପାଇଁ ଡାନିଶ୍ ସିଦ୍ଦିକିଙ୍କୁ ସାମ୍ବାଦିକତାର ସର୍ବୋଚ୍ଚ ସମ୍ମାନ ପୁଲିଜର୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହାଛଡ଼ା ଦିଲ୍ଲୀ ଦଙ୍ଗା, କରୋନା ସମୟରେ ପ୍ରବାସୀ ସଙ୍କଟ ଏବଂ ମହାମାରୀ ମୃତ୍ୟୁ ସହ ଜଡିତ ତାଙ୍କର ଫଟୋ ଗୁଡ଼ିକ ମଧ୍ୟ ବେଶ୍ ଲୋକପ୍ରିୟ ଓ ଆଦୃତ ହୋଇଥିଲା।

Comments are closed.