୮୬% ଲୋକ ଟିକା ନେଇ ବି ଡେଲ୍‌ଟା ଭାରିଆଣ୍ଟ୍‌ରେ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ଭୟାବହ ଦ୍ୱିତୀୟ ଲହରୀ ଆଣିଥିବା ଡେଲ୍‌ଟା ଭାରିଆଣ୍ଟ୍ ଏବେ ବି ଚିନ୍ତାର କାରଣ ହୋଇଛି । ଟିକା ନେଇଥିବା ଲୋକଙ୍କୁ ବି ଏହି ଭାରିଆଣ୍ଟ୍ ସଂକ୍ରମିତ କରୁଛି । ଭାରତରେ ପ୍ରାୟ ୮୬ ପ୍ରତିଶତ ଏପରି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଟିକା ନେଇଥିବା ଲୋକ ଡେଲ୍‌ଟା ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତେବେ ଆଶ୍ୱସ୍ତିକର ବିଷୟ ହେଉଛି ଏହି ସଂକ୍ରମିତ ଲୋକଙ୍କ ମଧ୍ୟରୁ କେବଳ ୯.୮ ପ୍ରତିଶତ ଜଣ ହସ୍ପିଟାଲରେ ଚିକିତ୍ସା ଆବଶ୍ୟକ କରିଥିଲେ । ଏହାଛଡ଼ା ଏମାନଙ୍କ କ୍ଷେତ୍ରରେ କେବଳ ୦.୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥିଲା । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ (ଆଇସିଏମ୍‌ଆର) ଦ୍ୱାରା ହୋଇଥିବା ଅଧ୍ୟୟନରେ ଏହା କୁହାଯାଇଛି ।

ଭାରତରେ ଟିକାକରଣ ପରେ ସଂକ୍ରମଣ ମାମଲାର ଅଧ୍ୟୟନ କରି ଆଇସିଏମ୍‌ଆର କହିଛି ଯେ, ଟିକାକରଣ ଦ୍ୱାରା ହସ୍ପିଟାଲ୍ ମାମଲା କମ୍ ହୋଇପାରେ । ଯଦି ଜଣେ ବ୍ୟକ୍ତି ସିଙ୍ଗଲ୍ ଓ ଡବଲ ଡୋଜ୍ ନେବା ପରେ ବି ସଂକ୍ରମିତ ହୁଅନ୍ତି, ତେବେ ସେମାନେ ସେଭଳି ଗୁରୁତର ହେବାର ସମ୍ଭାବନା ନାହିଁ । ସେମାନେ ହସ୍ପିଟାଲକୁ ନ ଯାଇ ମଧ୍ୟ ସୁସ୍ଥ ହୋଇପାରିବେ । ଏହାଛଡ଼ା ଏଭଳି କ୍ଷେତ୍ରରେ ମୃତ୍ୟୁ ମଧ୍ୟ ବେଶ୍ ବିରଳ । ତେଣୁ ବର୍ତ୍ତମାନ ଟିକା ହିଁ କରୋନା ବିରୋଧରେ ସୁରକ୍ଷା କବଚ ବୋଲି ଆଇସିଏମ୍‌ଆର ଅଧ୍ୟୟନରେ କୁହାଯାଇଛି । ଟିକାକରଣକୁ ବ୍ୟାପକ କରି ଡେଲ୍‌ଟା ଭଳି ଘାତକ ଓ ସଂକ୍ରମଣଶୀଳ ଭାରିଆଣ୍ଟ୍‌ର ପ୍ରସାରକୁ ରୋକିହେବ ବୋଲି ଉକ୍ତ ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ।

ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଟିକାର ଗୋଟିଏ କିମ୍ବା ଡବଲ ଡୋଜ୍ (କୋଭିଶିଲ୍ଡ/କୋଭାକ୍ସିନ) ନେଇ ସଂକ୍ରମିତ ହୋଇଥିବା ଲୋକଙ୍କ ଠାରୁ ଆଇସିଏମ୍‌ଆର ୬୭୭ ନମୁନା ସଂଗ୍ରହ କରିଥିଲା । ଏଭଳି ଲୋକଙ୍କ ସଂକ୍ରମିତ ହେବାର କାରଣ ଡେଲ୍‌ଟା ଭାରିଆଣ୍ଟ୍ ଥିଲା ଏବଂ ପ୍ରାୟ ୮୬ ପ୍ରତିଶତ ଏଭଳି ମାମଲା ରିପୋର୍ଟ ହୋଇଥିଲା । ତେବେ ଆଶ୍ୱସ୍ତିକର ଖବର ହେଲା ଯେ ଏମାନଙ୍କ ମଧ୍ୟରେ କେବଳ ୯.୮ ପ୍ରତିଶତ ଲୋକ ହିଁ ହସ୍ପିଟାଲରେ ଚିକିତ୍ସା ଆବଶ୍ୟକ କରିଥିଲେ । ଏଭଳି ମାମଲାରେ ମୃତ୍ୟୁ ହାର ୦.୪ ପ୍ରତିଶତ ଥିଲା ବୋଲି ଆଇସିଏମଆର ଅଧ୍ୟୟନରେ କୁହାଯାଇଛି ।

Comments are closed.