କରୋନା ସହ ଯକ୍ଷ୍ମାର ସମ୍ପର୍କ ଥିବା ପ୍ରମାଣ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଲୋକ ସୁସ୍ଥ ହେବା ପରେ ଯକ୍ଷ୍ମା ରୋଗର ଶିକାର ହେଉଥିବା ନେଇ ନିକଟରେ ମଧ୍ୟ ପ୍ରଦେଶର କିଛି ଡାକ୍ତର ଦାବି କରିଥିଲେ । ତେବେ ଏହି ଦୁଇ ରୋଗକୁ ଯୋଡ଼ିବା ଠିକ୍ ନୁହେଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । କରୋନା ସହ ଯକ୍ଷ୍ମାର ସମ୍ପର୍କ ନେଇ ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଉଭୟ କରୋନା ଓ ଯକ୍ଷ୍ମା ସଂକ୍ରାମକ ରୋଗ । ଏହି ଦୁଇଟି ଯାକ ରୋଗରେ ପୀଡିତ ଲୋକର ଫୁସ୍‌ଫୁସ୍ ସଂକ୍ରମିତ ହୋଇଥାଏ । କିନ୍ତୁ କରୋନା ସହ ଯକ୍ଷ୍ମାର ସମ୍ପର୍କ ଥିବା ନେଇ ଏଯାବତ୍ ପ୍ରମାଣ ମିଳିନାହିଁ ବୋଲି ମନ୍ତ୍ରାଳୟ କହିଛି ।

ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ମଧ୍ୟ ପ୍ରଦେଶରେ ହଠାତ୍ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବଢ଼ି ଯାଇଛି । ଅଧିକାଂଶ ଯକ୍ଷ୍ମା ରୋଗୀ ପୂର୍ବରୁ କୋଭିଡ୍ ସଂକ୍ରମିତ ହୋଇଥିଲେ ।

ଯକ୍ଷ୍ମା ସହ କରୋନାର ସମ୍ପର୍କକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖଣ୍ଡନ କରିବା ପରେ କେନ୍ଦ୍ର ସରକାର କହିଛନ୍ତି ଯେ, ୨୦୨୦ରେ କରୋନା ଜନିତ କଟକଣା ଯୋଗୁଁ ଦେଶରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ୨୫ ପ୍ରତିଶତ ହ୍ରାସ ଘଟିଥିଲା । ଅବଶ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ୱୀକାର କରିଛି ଯେ, ଦୁର୍ବଳ ପ୍ରତିରୋଧକ ଶକ୍ତି ଲୋକଙ୍କ କ୍ଷେତ୍ରରେ କରୋନା ପରେ ଯକ୍ଷ୍ମା ଆଶଙ୍କା ରହିଥାଏ । ଯକ୍ଷ୍ମା ବ୍ୟାକ୍ଟେରିଆ କୌଣସି ଲୋକର ଶରୀରରେ ନିଷ୍କ୍ରିୟ ଅବସ୍ଥାରେ ଥାଏ । ଏବଂ କୌଣସି କାରଣରୁ ଯଦି ଉକ୍ତ ଲୋକର ଇମ୍ୟୁନିଟି ଦୁର୍ବଳ ହୁଏ ତେବେ ସେହି ବ୍ୟାକ୍ଟେରିଆ ଶରୀରରେ ବ୍ୟାପିବା ଆରମ୍ଭ କରେ ।

Comments are closed.