ଚମକିଲେ ଯୁବ ବାହିନୀ, ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିଲା ଭାରତ

କଲମ୍ବୋ: ଡେବ୍ୟୁଟାଣ୍ଟ୍ ଇଶାନ କିଶାନଙ୍କ ସହ ଅଧିନାୟକ ଶିଖର ଧାୱନଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତର ଯୁବ ଦଳ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କକୁ ୭ ୱିକେଟରେ ହରାଇଛି । ଏହି ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୩ ରନ୍ କରିଥିଲା । ଏହାର ଜବାବରେ ଭାରତ ୮୦ ବଲ୍ ବାକି ଥାଇ ବିଜୟଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଦଳ ପକ୍ଷରୁ ବାର୍ଥ ଡେ୍ ବୟ ତଥା ନିଜର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳୁଥିବା ଈଶାନ କିଶାନ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଝାଡଖଣ୍ଡର ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମାତ୍ର ୪୨ ବଲରେ ୮ଟି ଚୌକା ଓ ୨ଟି ଛକା ସହ ୫୯ ରନ୍ କରିଥିବା ବେଳେ ଧାୱନ ୯୫ ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୮୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ତାଙ୍କ ସହ ଆଉ ଜଣେ ଡେବୁଟାଣ୍ଟ୍ ସୂର୍ଯ୍ୟକୁମାର ଯାଦବ ୩୧ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

ଶ୍ରୀଲଙ୍କା ପ୍ରଦତ୍ତ ୨୬୪ ରନର ବିଜୟଲକ୍ଷ୍ୟ ଜବାବରେ ଭାରତକୁ ଦ୍ରୁତ ଷ୍ଟାର୍ଟ ଦେଇଥିଲେ ଧାୱନ ଓ ପୃଥ୍ୱୀ ଶ’ଙ୍କ ଯୋଡି । ବିଶେଷକରି ଶ’ ଆରମ୍ଭରୁ ଦର୍ଶନୀୟ ସଟମାନ ଖେଳିଥିଲେ । ଧାୱନ ଓ ଶ’ ପ୍ରଥମ ୱିକେଟ୍ ଭାଗିଦାରୀରେ ମାତ୍ର ୩୩ ବଲରେ ୫୮ ରନ୍ ଯୋଗ କରିଥିଲେ । ଏଥିମଧ୍ୟରୁ ଶ’ଙ୍କ ଯୋଗଦାନ ଥିଲା ୪୩ ରନ୍ । ଶ’ ଏଥିପାଇଁ ୨୪ ବଲ ଖେଳିଥିବା ବେଳେ ୯ଟି ଚୌକା ମାରିଥିଲେ । ଷଷ୍ଠ ଓଭରରେ ଶ’ ଆଉଟ୍ ହେବା ପରେ ଧାୱନଙ୍କ ସହ ଯୋଗ ଦେଇଥିଲେ କିଶାନ । ପ୍ରଥମ ବଲରେ ହିଁ କିଶାନ ଛକା ମାରି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ନିଜ ପ୍ରଥମ ଟି୨୦ ପରି କିଶାନ କ୍ୟାରିୟରର ପ୍ରଥମ ଦିନିକିଆରେ ବି ଅର୍ଦ୍ଧଶତକ ହାସଲ ପୂର୍ବକ ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ । ଧାୱନ ଓ କିଶାନ ଦ୍ୱିତୀୟ ୱିକେଟରେ ଦ୍ରୁତ ୮୫ ରନ୍ ଯୋଗ କରି ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ । କିଶାନ ଆଉଟ୍ ହେବା ପରେ କ୍ରିଜକୁ ଓହ୍ଲାଇଥିବା ମନୀଷ ପାଣ୍ଡେ ୨୬ ରନ୍ କରିଥିଲେ । ତେବେ ଧାୱନ ଓ ସୂର୍ଯ୍ୟକୁମାର ଶ୍ରୀଲଙ୍କାକୁ ଆଉ କୌଣସି ସୁଯୋଗ ନ ଦେଇ ଔପଚାରିକତା ପୂରଣ କରିଥିଲେ ।

Comments are closed.