ଭୁବନେଶ୍ବର ମହାନଗର ନିଗମରେ “ମୁକ୍ତା” କାର୍ଯ୍ୟକ୍ରମ: ୧୭୦୦ ରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପ

ଭୁବନେଶ୍ବର:  ସହରାଂଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ” ନଗର ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ବରରେ କରାଯାଇଛି ୧୭୦୦ ରୁ ଉର୍ଦ୍ଧ ବର୍ଷାଜଳ ଅମଳ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ମୁକ୍ତା କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ ( ବିଏମସି ) ତରଫରୁ ଜଣାଯାଇଛି । କୋଭିତ୍ – ୧୯ ମହାମାରୀ ସମୟରେ ଅନେକଙ୍କ ଜୀବନଧାରା ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସହରାଂଚଳବାସୀ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ମହିଳା ଏବଂ ଅନ୍ୟ କେତେକବର୍ଗଙ୍କୁ ବେଉସା ଯୋଗାଇବା ସହିତ ସହରାଂଚଳର ପରିବେଶଗତ ବିକାଶକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ମୁକ୍ତ କାର୍ଯ୍ୟକ୍ରମ କରାଯାଇ ବିଏମସି ସୀମା ମଧ୍ୟରେ ଥିବା ଅନେକ ମହିଳା ସ୍ଵୟଂ ସହାୟକଗୋଷ୍ଠୀ ଏବଂ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଛି ।

କର୍ମ ନିଯୁକ୍ତି , ପରିବେଶ ଅନୁକୂଳ ବିକାଶକୁ ଗୁରୁତ୍ବ ଦେଇ ମୁକ୍ତା କାର୍ଯ୍ୟକ୍ରମର ସଫଳତାକୁ ଶୀର୍ଷରେ ପହଂଚାଇବାର ପ୍ରଚେଷ୍ଟା କରାଯାଇଛି । ଏହା ସାଙ୍ଗକୁ ସଂପକ୍ତ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଆଂଚଳିକ ନାଗରିକଙ୍କ ଭାଗିଦାରୀରେ ଭୁବନେଶ୍ଵର ସୀମା ମଧ୍ୟରେ ଆମେ ଅଦ୍ୟାବଧୂ ୧୭୧୭ଗୋଟି ପ୍ରକଳ୍ପ କରିସାରିଛୁ ବୋଲି କମିଶନର ସଂଜୟ କୁମାର ସିଂହ ପ୍ରକାଶ କରିଛନ୍ତି । ଏହା ଏକ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି ।

ଭୁବନେଶ୍ବରର ସମୁଦାୟ ୬୭ଟି ୱାର୍ଡ ଥିବା ବେଳେ , ବର୍ଷାଜଳ ଅମଳ ପ୍ରକଳ୍ପ ସମସ୍ତ ୱାର୍ଡରେ କରାଯାଇଛି । ୱାର୍ଡଗୁଡ଼ିକରେ ଥିବା ବିଭିନ୍ନ ପାର୍କ , ସରକାରୀ ଖୋଲା ସ୍ନାନ , ଅନୁଷ୍ଠାନ ଇତ୍ୟାଦିର ପଡ଼ିଆମାନଙ୍କରେ ଏହି ପ୍ରକଳ୍ପମାନ କରାଯାଇଛି । ଏହି କାର୍ଯ୍ୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ( ଏସ୍ଏଚଜି ) ଙ୍କ ହାତରେ ନ୍ୟସ୍ତ କରାଯାଇଛି । ଏମାନେ ପ୍ରକଳ୍ପ ରୁପାୟନର ଏକ ଅଂଶୀଦାର ଭାବେ ରହିଛନ୍ତି , ଯାହିଁ ଏହି ଯୋଜନାର ଆଭିମୁଖ୍ୟ ।

ବର୍ତ୍ତମାନର ଭୂତଳ ଜଳସ୍ତର ବା ୱାଟ୍‌ର ଲେବଲ୍ ନିମ୍ନଗାମୀ ହେଉଥିବା ବେଳେ ମୁକ୍ତା କାର୍ଯ୍ୟକ୍ରମ ଅଧୀନରେ ଭୂପୃଷ୍ଠ ଜଳକୁ ଆଣି ଭୂତଳକୁ ଛାଡ଼ିବା ଦ୍ଵାରା ଏହା ଭୂତଳ ଜଳସ୍ତର ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହେବ । ଅନ୍ୟ ପକ୍ଷରେ ସହରର ପ୍ରାକୃତିକ ପରିବେଶକୁ ଉନ୍ନତ କରିବାରେ ଏହା ସହାୟକହେବ । ଏହି କାର୍ଯ୍ୟକ୍ରମର ଏହା ଏକ ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଦ୍ୟାବଧି ଅଧିକ ସଂଖ୍ୟକ ପ୍ରକଳ୍ପ କରାଯାଇଛି । ୧୩ ଏପ୍ରିଲରୁ ୩୦ ଜୁନ୍ ୨୦୨୧ ସୁଦ୍ଧା ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ।

ଏହି ଗୋଷ୍ଠୀଭିତିକ କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ମହିଳା ଏସ୍ଏଚଜି ସଦସ୍ୟଙ୍କୁ ସାମିଲ କରାଯାଇଛି । ଏମାନେ ୨୬୫ ଟି ଏସ୍ଏଚଜିକୁ ଉପସ୍ଥାପିତ କରୁଛନ୍ତି । ଭୁବନେଶ୍ବର ମହାନଗର ନିଗମାଅଂଚଳରେ ଅନୁବନ୍ଧିତ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ ଏମାନଙ୍କୁ ଚୟନ କରାଯାଇ ଏହି ପ୍ରକଳ୍ପର ପରିଚାଳନା ଭାର ଦିଆଯାଇଛି । ଏସ୍ଏଚଜି ନାମରେ ପ୍ରକଳ୍ପ ମଞ୍ଜୁର କରାଯାଇ ସେମାନଙ୍କ ଭାଗିଦାରୀ ଏବ ସିଧାସଳଖ ତଦାରଖରେ ଏହି ଗୋଷ୍ଠୀଭିତିକ କାର୍ଯ୍ୟକ୍ରମ ରୂପାୟନ କରାଯାଇଛି । ଏହା ବିଶେଷକରି ଏକ ପ୍ରକାର ତଳୁ ଉପର ସ୍ତର ଭିତିକ ( ବଟମ୍ ଅପ୍ ଆପ୍ରୋଚ ) ଯୋଜନା ଏବଂ ରୂପାୟନ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ସ୍ଥାନୀୟ ନାଗରିକ , ଆବାସିକ ସଂଗଠନ ଏବଂ ନେତୃବୃନ୍ଦଙ୍କ ସହଭାଗିତା ରହିଛି । ପ୍ରକଳ୍ପର ମୌଳିକ ନୀତି ଅନୁସାରେ ସ୍ୱତନ୍ତ୍ର ବୈଠକରେ ସ୍ଥାନ ନିରୂପଣ , କାର୍ଯ୍ୟ ତଦାରଖ ଏବଂ ସାମାଜିକ ସମୀକ୍ଷା ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ , କୋଭିଡ୍ ଲକଡାଉନରେ ଏଭଳି ବିକାଶମୂଳକ ତଥା ପରିବେଶ ବନ୍ଧୁ କାର୍ଯ୍ୟକ୍ରମ କେବଳ ସହରର ଉନ୍ନତି ସାଧନ କରିନାହିଁ ବରଂ ଏଥିରେ ଅନେକ ପରିବାର ଉପକୃତ ହୋଇଛନ୍ତି । ଏହି କାର୍ଯ୍ୟ ମାଧ୍ୟମରେ ପ୍ରାୟ ୫୩ ହଜାର ଅଣକୁଶଳୀ ଏବଂ ପ୍ରାୟ ୨୦ ହଜାର କୁଶଳୀ ଶ୍ରମିକ କାର୍ଯ୍ୟ ଦିବସ ପାଇ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରିଛନ୍ତି । ବିଏସି ଅଧିନସ୍ଥ ଏହି ମୁକ୍ତା କାର୍ଯ୍ୟକ୍ରମରେ ପାଖାପାଖି ୭୩ ହଜାର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ନଗର ଯନ୍ତ୍ରୀ କହିଛନ୍ତି ।

ଆମ ପାଖରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ଦିଦିମାନେ ଘରୁ ମୋତେ ଆଣି ଆମକୁ କାମ ଯୋଗାଇଛନ୍ତି । କରୋନା ସମୟରେ କାମଧନ୍ଦା କମ୍ ଥିବା ବେଳେ ଘର ପାଖରେ ମିଳୁଥିବା କାମ ଆମ ପାଇଁ ଆଶୀର୍ବାଦ ତୁଲ୍ୟ ବୋଲି କହିଛନ୍ତି ମିସ୍ତ୍ରୀ ଶଙ୍କର ମହାନ୍ତି ( ୪୦ , ପୁରୁଷ ) , ୱାର୍ଡ ନଂ – ୬୩ ।

ସରକାରଙ୍କ କାମ ଆସୁଛି ; କିନ୍ତୁ ଆମେ ଜାଣିପାରିଲେ ପାଉ । ମୁଚ୍ଛା କାମ କରୁଥିବା ଦିଦି ମାନେ ଡାକି ଡାକି ଡାକି କାମ ଦେଇଛନ୍ତି । ଖୁସିରେ ଆମେ ଆମ ଅଂଚଳ ପାଇଁ କାମ କରିଛୁ । ସବୁ ବନ୍ଦ ଥିବା ସମୟରେ ଘର ପାଖରେ କାମ ପାଇବା ଏବଂ ନିଜ ଅଂଚଳ ପାଇଁ କରିବା ଓ ରୋଜଗାର କରିବା ଏକ ଗର୍ବର କଥା କହିଛନ୍ତି । ଆଉ ଜଣେ ମିସ୍ତ୍ରୀ ରାଜ ସାହୁ ( ୪୭ , ପୁରୁଷ ) , ବରବାରୀ , ୱାର୍ଡ ନଂ – ୬୩ ।

ପ୍ରକାଶ ଥାଉକି , ଅଧିକରୁ ଅଧିକ ପ୍ରକଳ୍ପରେ ମିଶନ ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ୍ କରିବା ଏବଂ ସେମାନଙ୍କୁ ନିୟମିତ ପ୍ରଶିକ୍ଷଣ ଦେଇ ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶୀଦାରଭିତିକ ଅଂଶଗ୍ରହଣ ବାବଦରେ ବିଏମ୍‌ସିର ଅଧିକାରୀ ଏବଂ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ।

 

Comments are closed.