ଟ୍ୱିଟର ଇଣ୍ଡିଆ ଏମଡି ମହେଶ୍ୱରୀଙ୍କୁ ଆଶ୍ବସ୍ତି, ଗାଜିଆବାଦ ପୋଲିସର ନୋଟିସକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ଟ୍ୱିଟର ଇଣ୍ଡିଆ ଏମଡି ମନୀଷ ମହେଶ୍ୱରୀଙ୍କୁ ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି। ଜଣେ ୟୁଜର୍ ଟ୍ୱିଟରରେ ପୋଷ୍ଟ କରିଥିବା ଏକ ସାମ୍ପ୍ରଦାୟିକ ଭିଡିଓ ମାମଲାରେ ମହେଶ୍ୱରୀଙ୍କୁ ଗାଜିଆବାଦ ପୋଲିସ ପଠାଇଥିବା ନୋଟିସକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ମନୀଷ ମହେଶ୍ୱରୀଙ୍କୁ ଧାରା ୪୧ (ଏ) ଅନୁଯାୟୀ ଉଦ୍ଦେଶ୍ୟ ମୂଳକ ଭାବେ ନୋଟିସ୍ ପଠାଯାଇଛି । ଜେରାର ସମ୍ମୁଖୀନ ହେବା ପାଇଁ ମହେଶ୍ବରୀ ଉତ୍ତର ପ୍ରଦେଶ ଯିବା ଦରକାର ନାହିଁ । ଗାଜିଆବାଦ ପୋଲିସ ତାଙ୍କୁ ଅନଲାଇନ୍ ରେ ଜେରା କରିପାରିବ ବୋଲି କୋର୍ଟ କହିଛନ୍ତି ।

ଗାଜିଆବାଦ (ଉତ୍ତରପ୍ରଦେଶ) ପୋଲିସ ଜୁନ୍ ୨୧ ସକାଳ ୧୦ଟା ୩୦ ମିନିଟ୍ ସମୟରେ ଲୋନି ସୀମା ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ ମହେଶ୍ୱରୀଙ୍କୁ କ୍ରାଇମବ୍ରାଞ୍ଚର ଧାରା ୪୧-ଏ ଅନୁଯାୟୀ ନୋଟିସ୍ ଜାରି କରିଥିଲା। ସେ କର୍ଣ୍ଣାଟକର ବେଙ୍ଗାଲୁରୁରେ ରହୁଥିବାରୁ ମହେଶ୍ୱରୀ ଉକ୍ତ ନୋଟିସ୍ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜୁନ୍ ୨୪ରେ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ହାଇକୋର୍ଟ ଗାଜିଆବାଦ ପୋଲିସକୁ ମହେଶ୍ୱରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରିଥିଲେ।

Comments are closed.