ଟୋକିଓ ଅଲିମ୍ପିକ୍ସ: ବିଜୟ ସହ ଅଭିଯାନ ଆରମ୍ଭ କଲେ ସିନ୍ଧୁ, ସୁଟର ପୁଣି ନିରାଶ

ଟୋକିଓ: ଭାରତର ବ୍ୟାଡମିଣ୍ଟନ୍ ଷ୍ଟାର ପିଭି ସିନ୍ଧୁ ବିଜୟ ସହ ଟୋକିଓ ଅଲିମ୍ପିକ୍ସରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ସିଙ୍ଗଲ୍ସର ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ଇସ୍ରାଏଲ୍‌ର କେସ୍‌ନିଆ ପୋଲିକାରପୋଭାଙ୍କୁ ହରାଇଛନ୍ତି । ସିନ୍ଧୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୋଲିକାରପୋଭାଙ୍କ ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ଜାହିର କରିଥିଲେ । ମାତ୍ର ୨୮ ମିନିଟ୍‌ରେ ସିନ୍ଧୁ ଏହି ମ୍ୟାଚ୍‌କୁ ୨୧-୭,୨୧-୧୦ରେ ଜିତିଥିଲେ ।

ରିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ସିନ୍ଧୁ ଏଥର ସ୍ୱର୍ଣ୍ଣ ପଦକ ହାତେଇବା ଲକ୍ଷ୍ୟରେ ଅଛନ୍ତି । ପ୍ରଥମ ପ୍ରତିବନ୍ଧକ ଅତିକ୍ରମ କରି ସେ ଏହି ଲକ୍ଷ୍ୟପଥରେ ଆଉ ପାଦେ ଆଗେଇଛନ୍ତି । ମହିଳା ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ ସ୍ପେନ୍‌ର କରୋଲିନା ମାରିନ୍ ଏଥର ଅଲିମ୍ପିକ୍ସରେ ଖେଳୁନଥିବାରୁ ଟାଇଟଲ ଜିତିବାକୁ ସିନ୍ଧୁଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି ।

ପାଲିକାରପୋଭାଙ୍କ ବିପକ୍ଷ ମ୍ୟାଚ୍‌ରେ ସିନ୍ଧୁ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଗେମ୍‌କୁ ମାତ୍ର ୧୩ ମିନିଟ୍ ଭିତରେ ୨୧-୭ରେ ଜିତିଥିଲେ । ସିନ୍ଧୁଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଆଗରେ ପାଲିକାରପୋଭା ସମ୍ପୂର୍ଣ୍ଣ ନିରୁପାୟ ମନେ ହୋଇଥିଲେ । ଦ୍ୱିତୀୟ ଗେମ୍‌ରେ ମଧ୍ୟ ସିନ୍ଧୁଙ୍କୁ ଟକ୍କର ଦେଇପାରିନଥିଲେ ଇସ୍ରାଏଲର ଏହି ଖେଳାଳି । ସିନ୍ଧୁ ଏକଦା ୧୧-୪ରେ ଅଗ୍ରଣୀ ହାସଲ କରିଥିଲେ । ପରେ ଏହି ବ୍ୟବଧାନ ବଢ଼ି ଚାଲିଥିଲା । ଦ୍ୱିତୀୟ ଗେମ୍‌କୁ ମାତ୍ର ୧୫ ମିନିଟ୍‌ରେ ଜିତିବା ସହ ବିଜୟ ନିଶ୍ଚିତ କରିଥିଲେ ସିନ୍ଧୁ ।

ତେବେ ଶୁଟିଂ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଭାରତର ପଦକ ସମ୍ଭାବନା ମନୁ ଭାକର ଓ ଯଶସ୍ୱିନୀ ଦେସୱାଲ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ଅସାକା ଶୁଟିଂ ରେଞ୍ଜରେ ଅନୁଷ୍ଠିତ ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ମନୁ ଓ ଯଶସ୍ୱିନୀ ଯଥାକ୍ରମେ ୧୨ ଓ ୧୩ତମ ସ୍ଥାନରେ ରହି ଫାଇନାଲ ଦୌଡ଼ରୁ ବାଦ୍ ପଡିଥିଲେ ।
ଯୋଗ୍ୟତା ପର୍ଯ୍ୟାୟରେ ମନୁ ୫୭୫ ପଏଣ୍ଟ୍ ହାସଲ କରିଥିବା ବେଳେ ଯଶସ୍ୱିନୀ ୫୭୪ ପଏଣ୍ଟ ସଂଗ୍ରହ କରିପାରିଥିଲେ । ତେବେ ଫାଇନାଲରେ ସ୍ଥାନ ପାଇଁ ଏହା ଯଥେଷ୍ଟ ନଥିଲା । ମନୁଙ୍କ ଏହା ପ୍ରଥମ ଅଲିମ୍ପିକ୍ସ । ନିକଟରେ ବିଶ୍ୱକପ ସହ ବହୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମନୁଙ୍କ ଠାରୁ ଅଲିମ୍ପିକ୍ସରେ ପଦକ ଆଶା ରହିଥିଲା ।

Comments are closed.