ପର୍ନ ଫିଲ୍ମ ରାକେଟ୍: ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ସମସ୍ୟା, ଚାରି କର୍ମଚାରୀ ହେବେ ସରକାରୀ ସାକ୍ଷୀ

ମୁମ୍ବାଇ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିପାରେ। ସୂଚନାନୁସାରେ, ରାଜ୍ କୁନ୍ଦ୍ରାଙ୍କ କମ୍ପାନୀର ଚାରିଜଣ କର୍ମଚାରୀ ଏହି ମାମଲାରେ ସରକାରୀ ସାକ୍ଷୀ ହେବେ ବୋଲି ଜଣାପଡିଛି। ସେମାନେ କୁଆଡେ଼ ରାଜ କୁନ୍ଦ୍ରାଙ୍କ ପର୍ନ ରାକେଟ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ଦେଇଛନ୍ତି।

ଏହି ମାମଲାରେ କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ୍ ଟିଭି ଅଭିନେତ୍ରୀ ଗେହାନା ବଶିଷ୍ଠ ଏବଂ ଅନ୍ୟ ତିନିଜଣଙ୍କୁ ଆଜି ପଚରାଉଚରା ପାଇଁ ଡାକିଛି। ସେ ବର୍ତ୍ତମାନ ମୁମ୍ବାଇ ବାହାରେ ଅଛନ୍ତି, ଯେଉଁଥିପାଇଁ ସେ କ୍ରାଇମ୍ ବ୍ରାଞ୍ଚ ଆଗରେ ହାଜର ହୋଇପାରିବେ ନାହିଁ ବୋଲି ଗେହାନା ବଶିଷ୍ଠ କହିଛନ୍ତି । ଏହି ମାମଲାର ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସେପଟେ ରାଜ୍ କୁନ୍ଦ୍ରାଙ୍କ କମ୍ପାନୀ କିମ୍ବା ଏହାର କଣ୍ଟେଣ୍ଟ ସହିତ କୌଣସି ଭାବେ ସେ ଜଡିତ ନୁହନ୍ତି ବୋଲି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କହିଛନ୍ତି। ଏହି ମାମଲାରେ ସେ ରାଜ କୁନ୍ଦ୍ରାଙ୍କ ଭାଉଜଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ପୁଣି ଥରେ ଶିଳ୍ପା ଶେଟ୍ଟୀଙ୍କୁ ଜେରା କରାଯାଇପାରେ। ଶୁକ୍ରବାର କୋର୍ଟରେ ଶୁଣାଣି ପରେ କ୍ରାଇମ ବ୍ରାଞ୍ଚ ଟିମ୍ ଜୁହୁସ୍ଥିତ ଶିଳ୍ପା ଏବଂ ରାଜଙ୍କ ବାସଭବନରେ ଚଢାଉ କରିଥିଲା। ଅନୁସନ୍ଧାନକାରୀ ଦଳ ମନି ଟ୍ରେଲ ଏବଂ ଆନୁସଙ୍ଗିକ ଇମେଲ ଖୋଜୁଛି, ଯାହା ଏହି ମାମଲାରେ କୁନ୍ଦ୍ରାଙ୍କ ସମ୍ପୃକ୍ତିକୁ ପ୍ରମାଣିତ କରିବ ।

Comments are closed.