ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଶୋଚନୀୟ ପରାଜୟ, ଅଷ୍ଟ୍ରେଲିଆ ଠାରୁ ୭-୧ରେ ହାରିଲା

ଟୋକିଓ: ଅଲିମ୍ପିକ୍ସର ପୁଲ୍ ‘ଏ’ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆ ଠାରୁ ୭-୧ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଥିଲା, କିନ୍ତୁ ଏହି ମ୍ୟାଚରେ ଦଳ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରଛି ।

ଅଷ୍ଟ୍ରେଲିଆ ପାଇଁ ବ୍ଲାକ୍ ଗ୍ରୋଭର ଦୁଇଟି ଗୋଲ୍ ସ୍କୋର କରିଥିବାବେଳେ ଟିମ୍ ବ୍ରାଣ୍ଡ୍, ଜୋଶୁଆ ବେଲ୍ଟଜ୍, ଫ୍ଲିନ୍ ଆଣ୍ଡ୍ରୁ ଓଗିଲଭି, ଜେରେମି ଥୋମାସ୍ ହେୱାର୍ଡ ଏବଂ ଡାନିଏଲ୍ ଜେମ୍ସ ବିଲେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଭାରତ ପାଇଁ ଦିଲପ୍ରୀତ ସିଂ ଏକମାତ୍ର ଗୋଲ ଦେଇଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପେନାଲ୍ଟି କର୍ଣ୍ଣରରେ ସୁଧାର ଆଣିଥିବା ସଙ୍କେତ ମିଳିଥିଲା, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଡ୍ରାଗ୍ ଫ୍ଲିକର୍ସ ନିରାଶ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ହିଁ ୪-୦ ଅଗ୍ରଣୀ ସହ ଅଷ୍ଟ୍ରେଲିଆ ବିଜୟ ସୁନିଶ୍ଚିତ କରିଥିଲା।

ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଭାରତୀୟ ଦଳ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ଆରମ୍ଭରେ ଏକ ବଡ଼ ବ୍ୟବଧାନରେ ପଛୁଆ ରହିବା ଦଳକୁ ମହଙ୍ଗା ପଡ଼ିଥିଲା । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବା ଭାରତ ପାଇଁ ସହଜ ନଥିଲା। ଭାରତୀୟ ଖେଳାଳିମାନେ ମଧ୍ୟ ଚାପଗ୍ରସ୍ତ ହୋଇ ପ୍ରଦର୍ଶନ କରିଥିଲେ, ଯାହା କେବଳ ଅଷ୍ଟ୍ରେଲିଆ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା ।

ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ଏହା ସବୁଠାରୁ ଲଜ୍ଜାଜନକ ପରାଜୟ | ଭାରତକୁ ବର୍ତ୍ତମାନ ସ୍ପେନ୍, ଆର୍ଜେଣ୍ଟିନା ଏବଂ ଜାପାନ ସହିତ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍ ଖେଳିବ । ଏଭଳି ସ୍ଥିତିରେ ଏହି ପରାଜୟରୁ ଏକ ଶିକ୍ଷାଲାଭ କରି ଭାରତୀୟ ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ଏବଂ ପରବର୍ତ୍ତୀ ତିନୋଟି ମ୍ୟାଚରେ ବିଜୟ ସହ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିବ। ଭାରତୀୟ ଦଳ ଆସନ୍ତା ଜୁଲାଇ ୨୭ରେ ସ୍ପେନ ବିପକ୍ଷରେ ଖେଳିବ।

Comments are closed.