କରୋନା ଔଷଧ ମହଜୁଦ ମାମଲାରେ ଗୌତମ ଗମ୍ଭୀରଙ୍କୁ ଝଟକା, ମାମଲା ବନ୍ଦ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଔଷଧ ମହଜୁଦ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ବଡ଼ ଝଟକା ଲାଗିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗମ୍ଭୀରଙ୍କ ସଂସ୍ଥା ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେତେବେଳେ ଲୋକେ ଔଷଧ ନ ପାଇ ଡହଳ ବିକଳ ହେଉଥିଲେ, ସାହାଯ୍ୟ ନାମରେ ଔଷଧ ମହଜୁଦ ରଖିବା ଭୁଲ୍ ଥିଲା। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ନିଜକୁ ପକ୍ଷଭୁକ୍ତ କରିବା ପାଇଁ ଗୌତମ ଗମ୍ଭୀର ଫାଉଣ୍ଡେସନ ହାଇକୋର୍ଟରେ ଆବେଦନ କରିବା ଉଚିତ ଏବଂ ସେଠାରେ ନିଜ ମତ ରଖିବା ଉଚିତ୍।

ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଫାବିଫ୍ଲୁ ଭଳି ଔଷଧ ମହଜୁଦ ଏବଂ ବିତରଣ ପାଇଁ ବିଜେପି ସାଂସଦ ଗମ୍ଭୀର ଏବଂ କିଛି ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ବିରୋଧରେ ତଦନ୍ତ କରିବାକୁ କହିଥିଲେ। ତଦନ୍ତ ପରେ ବର୍ତ୍ତମାନ ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟର ବିଭିନ୍ନ ଧାରା ଅଧୀନରେ ଗୌତମ ଗମ୍ଭୀର, ଆପ୍ ବିଧାୟକ ପ୍ରବୀଣ କୁମାର ଏବଂ ଇମ୍ରାନ ହୁସେନ୍‌ଙ୍କ ବିରୋଧରେ ତଳ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି।

ଏହି ମାମଲାରେ ଆଶ୍ବସ୍ତି ନିବେଦନ ପୂର୍ବକ ଗମ୍ଭୀର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ, କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଏମଆର ଶାହାଙ୍କ ଏକ ଖଣ୍ଡପୀଠ କହିଛନ୍ତି, ଏହା ବିଚାର୍ଯ୍ୟ ଯେ ଆବେଦନକାରୀ ହାଇକୋର୍ଟରେ ନିଜ ପକ୍ଷ ରଖିବାକୁ ସୁଯୋଗ ପାଇ ନାହାଁନ୍ତି। ଏଥିପାଇଁ ସେ ହାଇକୋର୍ଟରେ ଆବେଦନ କରିବା ଉଚିତ୍। ଏଥିରେ ହସ୍ତକ୍ଷେପ କରିବାର ଆବଶ୍ୟକତା ସୁପ୍ରିମକୋର୍ଟ ଦେଖୁନାହାଁନ୍ତି।

Comments are closed.