ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ

ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ଆଇଟିଆଇ ଏବଂ ପଲିଟେକ୍‌ନିକ୍ ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଆଇଟିଆଇ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି । ରାଜ୍ୟ ସରକାର ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି । ଆଜି ଆଇଟିଆଇରେ ଆଧୁନିକ ଯନ୍ତ୍ରପାତିବିଶିଷ୍ଟ କର୍ମଶାଳା , ତାଲିମପ୍ରାପ୍ତ ପ୍ରଶିକ୍ଷକ ଏବଂ ଆବାସିକ ସୁବିଧା ରହିଛି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି ।

୨୦୨୧ – ୨୨ ମସିହା ପାଇଁ ଆଇଟିଆଇ , ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ନାୟକ କହିଲେ ଯେ ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ ସ୍ଥାନ ପାଇଛି । ଆମ ପାଇଁ ଖୁସିର ବିଷୟ ୨୦୨୦ ବର୍ଷର ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ପ୍ରଶିକ୍ଷାର୍ଥୀ ସମଗ୍ର ଦେଶର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ମେଧାତାଲିକାରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସୁଦକ୍ଷା , ପ୍ରେରଣା ଓ ନିର୍ମାଣ ଶ୍ରମିକ ଯୋଜନାରେ ସମାଜର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି । ଚଳିତ ୨୦୨୧ – ୨୨ ତାଲିମ ବର୍ଷ ପାଇଁ ଅନ୍‌ଲାଇନ୍ ଜରିଆରେ ୧୮ , ୨୫୮ ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବେଦନ କରିଛନ୍ତି । ମୁଁ ଏହି ଅବସରରେ ସମସ୍ତ ଅଭିଭାବକ , ହାଇସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଏବଂ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରିଛନ୍ତି । ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଆଇଟି ଶିକ୍ଷା ପ୍ରତି ମାର୍ଗଦର୍ଶନ କରନ୍ତୁ । ଯୁବଗୋଷ୍ଠୀ ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସରେ ଭରପୂର ସୁଯୋଗ ନେଇ କୁଶଳତାପୂର୍ବକ ନିଜକୁ ମୁଖ୍ୟ କର୍ମସ୍ରୋତରେ ସାମିଲ କରନ୍ତୁ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି . ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟର ବିଭିନ୍ନ ସ୍ଥାନର ଆଇଟିଆଇ ପ୍ରିନ୍ସିପାଲ୍ ଏବଂ ଓଡ଼ିଶା ଘରୋଇ ଇଂଜିନିୟରିଂ ସ୍କୁଲ ସଂଗଠନର ପ୍ରତିନିଧିମାନେ ପ୍ରଚାର ଅଭିଯାନରେ ସାମିଲ ହୋଇ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା ପାଇଁ ମତ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ପ୍ରଚାର ଅଭିଯାନ , ଅଡ଼ିଓ ଭିର୍ଚୁଆଲ କ୍ଲିପ ଓ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା , ଯୁଗ୍ନ ସଚିବ ଅଜୟ ନାୟକ ଓ ଗୌରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.