ଆସାମ-ମିଜୋରାମ ସୀମା ବିବାଦକୁ ନେଇ ହିଂସା, ଆସାମ ପୋଲିସର ୬ ଯବାନଙ୍କ ମୃତ୍ୟୁ

ଗୁଆହାଟି: ଆସାମ ଏବଂ ମିଜୋରାମ ମଧ୍ୟରେ ସୀମା ବିବାଦ ସୋମବାର ହିଂସାତ୍ମକ ରୂପ ନେଇଛି। ଉଭୟ ରାଜ୍ୟର ପୋଲିସ ଏବଂ ନାଗରିକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷ ‌‌ପ୍ରଥମେ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ସମୟରେ ଫାୟାରିଂ ମଧ୍ୟ ହୋଇଥିଲା।

ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦାବି କରିଛନ୍ତି ଯେ ଫାୟାରିଂରେ ଆସାମ ପୋଲିସର ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। କଛାର ଜିଲ୍ଲା ଏସପି ବୈଭବ ନିମ୍ବଲକର ଚନ୍ଦ୍ରକର ମଧ୍ୟ ଆହତ ହୋଇଛନ୍ତି। ଏହା ସହିତ ୫୦ରୁ ଅଧିକ ପୋଲିସ କର୍ମୀ ମଧ୍ୟ ଏ‌ହି ହିଂସାରେ ଆହତ ହୋଇଛନ୍ତି।

ସୂଚନାନୁସାରେ, ଜବରଦଖଲ ଉଚ୍ଛେଦ ହଟାଇବା ନେଇ ପୋଲିସ ଏବଂ ଉଭୟ ରାଜ୍ୟର ନାଗରିକଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଉତ୍ତେଜନା ଆହୁରି ବଢିଥିଲା । ଉଭୟ ପାର୍ଶ୍ୱରୁ ଠେଙ୍ଗା ଓ ପଥର ଦ୍ବାରା ଆକ୍ରମଣ ଆରମ୍ଭ ହୋଇଥିଲା। ଆସାମର ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ସୀମାରେ ଉତ୍ତେଜନା ଦେଖାଦେଇଛି। ଗୃହମନ୍ତ୍ରୀ ଅମିତ ଶାହା ନିକଟରେ ଆସାମ ଗସ୍ତ କରିଥିଲେ। ତାଙ୍କ ଗସ୍ତର ଦୁଇ ଦିନ ପରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ହିଂସାର ରୂପ ନେଇଛି।

ହିଂସା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସାମ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ସେ କହିଛନ୍ତି। ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଉଭୟ ରାଜ୍ୟର ପୋଲିସ ବିବାଦୀୟ ସ୍ଥାନରୁ ଫେରିଛନ୍ତି।

Comments are closed.