ବ୍ରହ୍ମପୁର ରେଲୱେ ଷ୍ଟେସନ୍ ପୁନଃବିକାଶ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ବ୍ରହ୍ମପୁର ରେଲୱେ ଷ୍ଟେସନ୍ ନୀରିକ୍ଷଣ

ବ୍ରହ୍ମପୁର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ଉପରେ ଗୁରୁତ୍ୱାରୋପ କରିଥିଲେ ।

ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବ୍ରହ୍ମପୁର ରେଳ ଷ୍ଟେସନକୁ ବିକଶିତ କରାଯିବ ଏବଂ ଆଧୁନିକ ସୁବିଧା ଯୋଗାଇ ଦିଆଯିବ। ଷ୍ଟେସନକୁ ସୌନ୍ଦର୍ଯ୍ୟମୟ ଆଲୋକ, ଉନ୍ନତ ସାଇନେଜ ଏବଂ ୱେଟିଂ ହଲ୍ ସମେତ ଉନ୍ନତ ଯାତ୍ରୀ ସୁବିଧା ସହିତ ବିକଶିତ କରାଯିବ । ଭ୍ରମଣକାରୀ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଷ୍ଟେସନ ପ୍ରାଙ୍ଗଣ ଓ ଖାଲିଥିବା ସ୍ଥାନମାନଙ୍କରେ ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ।

ଟ୍ରେନ୍ ଚଳାଚଳ ସମ୍ବନ୍ଧରେ ମହାପ୍ରବନ୍ଧକ କହିଛନ୍ତି ଯେ କୋଭିଡ ପ୍ରୋଟୋକଲ୍ ଯୋଗୁଁ ସମସ୍ତ ନିୟମିତ ଟ୍ରେନ୍ ବାତିଲ ହୋଇଯାଇଛି ଏବଂ ବର୍ତ୍ତମାନ ଜରୁରୀକାଳୀନ ସ୍ଥଳରେ ଯାତ୍ରୀଙ୍କୁ ଜରୁରୀ ସୁବିଧା କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚାଲୁଛି । ଏହି ପ୍ରସଙ୍ଗରେ ପୂର୍ବତଟ ରେଳପଥ ରାଜ୍ୟ ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । କୋଭିଡ ମହାମାରୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଅଧିକ ଟ୍ରେନ୍ ଚଳାଚଳ କରିବା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ।

ବ୍ରହ୍ମପୁର – ଫୁଲବାଣୀ ଲାଇନ ସମ୍ବନ୍ଧୀୟ ଏକ ପ୍ରଶ୍ନକୁ ଉତ୍ତର ଦେଇ ମହାପ୍ରବନ୍ଧକ କହିଛନ୍ତି ଯେ ସର୍ଭେ କମିଟି ଦ୍ୱାରା ପ୍ରକଳ୍ପର ଫେରସ୍ତ ହାର (ରେଟ ଅଫ ରିଟର୍ଣ୍ଣ) ଆକଳନ କରାଯିବ । ଏହାକୁ ଆଧାର କରି ନିଷ୍ପତ୍ତି ନିଆଯିବ । ବ୍ରହ୍ମପୁରରେ ଟର୍ମିନାଲ ପଏଣ୍ଟ ଯୋଗାଣ ବିଷୟରେ ଏକ ପ୍ରଶ୍ନ ଉପରେ ଉତ୍ତର ରଖି ମହାପ୍ରବନ୍ଧକ ସ୍ପଷ୍ଟ କରିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ନୁହେଁ । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବିଦ୍ୟା ଭୂଷଣ ଉତ୍ତର ଦେଇଛନ୍ତି ଯେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଏବଂ ରୋଗୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଷ୍ଟେସନରେ ଲିଫ୍ଟ ଏବଂ ଏସ୍କାଲେଟର ଯୋଗାଇ ଦିଆଯାଇଛି । ପରିସ୍ଥିତି ଉପରେ ନିର୍ଭର କରି ଲିଫ୍ଟ ଏବଂ ଏସ୍କାଲେଟର୍ କାର୍ଯ୍ୟ କରୁଛି । ଶୌଚାଳୟ, ଜଳ ଯୋଗାଣ ଭଳି ସୁବିଧା ଏହି ଉନ୍ନତିକରଣ କାର୍ଯ୍ୟରେ ଯୋଗ କରାଯାଇଛି |
ପ୍ଲାଟଫର୍ମର ସମ୍ପ୍ରସାରଣ ସମ୍ବନ୍ଧରେ ମହାପ୍ରବନ୍ଧକ ସୂଚନା ଦେଇଛନ୍ତି ଯେ ସମ୍ପୂର୍ଣ୍ଣ ଦୈର୍ଘ୍ୟ ଟ୍ରେନ୍ ରହିବା ପାଇଁ ପ୍ଲାଟଫର୍ମକୁ ବିସ୍ତାର କରିବାକୁ ରେଳବାଇ କାର୍ଯ୍ୟକାରୀ ଦଳ କାର୍ଯ୍ୟ କରୁଛି । ଏହି ସମସ୍ୟାର ଶୀଘ୍ର ସମାଧାନ ହେବ । ଶ୍ରୀ ବିଦ୍ୟା ଭୂଷଣ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରବାସୀ ମାନଙ୍କ ସୁବିଧା ପାଇଁ ପ୍ରବାସୀ ବିଶ୍ରାମ ଶେଡ ଏବଂ ଷ୍ଟେସନ ପ୍ରାଙ୍ଗଣ ଓ ଖାଲିଥିବା ସ୍ଥାନମାନଙ୍କରେ ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି ।

ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ଲାଇନ ପାଇଁ ପ୍ରାଥମିକ ବିନିଯୋଗ କାର୍ଯ୍ୟକଳାପ ପାଇଁ ରେଳ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି ଯାହାକି ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) ଦ୍ୱାରା ନିର୍ମାଣ କରାଯିବ । ସେହିଭଳି ୭୯ କିଲୋମିଟର ଦୈର୍ଘ୍ୟ ଗୁଣୁପୁର-ଥରୁଭାଲୀ ପ୍ରକଳ୍ପକୁ ମଧ୍ୟ ଅନୁମତି ଦିଆଯାଇଛି । ୨୨୩ କିମି ଦୈର୍ଘ୍ୟ ବ୍ରହ୍ମପୁର-ରାୟଗଡା ନୂତନ ଲାଇନ ପାଇଁ ସର୍ଭେ ରିପୋର୍ଟ ସମାପ୍ତ ହୋଇଛି ଏବଂ ଏହା ସମ୍ବନ୍ଧୀୟ ଦସ୍ତାବିଜ ଗୁଡିକୁ ସଠିକ ଭାବେ ନଜର କରାଯାଇଛି ।

Comments are closed.