ପେଗାସସ୍ କେଳେଙ୍କେରୀ ନେଇ ବଢୁଛି ଅସନ୍ତୋଷ, ନିରପେକ୍ଷ ତଦନ୍ତ ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୫୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ମାମଲାରେ ସୁପ୍ରିମକୋର୍ଟଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ ୫୦୦ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥା ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି। ଭାରତରେ ଇସ୍ରାଏଲ୍ କମ୍ପାନୀ ଏନ୍ଏସ୍ଓ ଦ୍ୱାରା ପେଗାସସ୍ ସ୍ପାଏୱେୟାର ବିକ୍ରୟ, ସ୍ଥାନାନ୍ତର ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଦାବି କରିଛନ୍ତି।

ଏହି ଚିଠିରେ ‘ଭାରତର ନାଗରିକଙ୍କ ବିରୋଧରେ ଚାଲିଥିବା ସରକାରୀ ପ୍ରାୟୋଜିତ ସାଇବର ଯୁଦ୍ଧ’ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଠିକ ସମୟରେ ଉତ୍ତର ପ୍ରଦାନ କରିବାକୁ କେନ୍ଦ୍ର ଏବଂ ଇସ୍ରାଏଲ୍ କମ୍ପାନୀ ଏନ୍ଏସ୍ଓକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଗଣମାଧ୍ୟମ ରିପୋର୍ଟରେ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଛାତ୍ରୀ, ବିଦ୍ୱାନ, ସାମ୍ବାଦିକ, ମାନବାଧିକାର, ଓକିଲ, ଆଇନଜୀବୀ ତଥା ଯୌନ ନିର୍ଯାତନା ପୀଡିତାଙ୍କ ଉପରେ ନଜର ରଖିବା ପାଇଁ ପେଗାସସ୍ ସ୍ପାଏଓ୍ବେରର ବ୍ୟବହାର କରାଯାଇଥିଲା।

ଏଥିସହ ଚିଠିର ଦସ୍ତଖତକାରୀମାନେ ଯୌନ ଉତ୍ପୀଡ଼ନ ଉପରେ ଲୈଙ୍ଗିକ ନିରପେକ୍ଷ ତଥ୍ୟ ସୁରକ୍ଷା ଏବଂ ଗୋପନୀୟତା ନୀତି ଆପଣାଇବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠିରେ ସୁପ୍ରିମକୋର୍ଟର ଜଣେ ଅଧିକାରୀଙ୍କ ଉପରେ ହୋଇଥିବା ଗୁଇନ୍ଦାଗିରି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରାଯାଇଛି ଯିଏ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।

ଚିଠିରେ କୁହାଯାଇଛି, ‘ମହିଳାମାନଙ୍କ ଉପରେ ପେଗାସସ୍ ସ୍ପାଏଓ୍ବେରର ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ। ରାଜ୍ୟ (ସରକାର) କିମ୍ବା ଦେଶରେ ଉଚ୍ଚ ପଦବୀରେ ଥିବା ପୁରୁଷଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ଅର୍ଥ ହେଉଛି ଯେ ସେମାନଙ୍କ ଜୀବନ (ସ୍ୱର ଉତ୍ତୋଳନକାରୀଙ୍କ) ଏପରି ସରକାରୀ ନିରୀକ୍ଷଣ ଦ୍ୱାରା ନଷ୍ଟ ହୋଇଯିବ। ‘

ଚିଠିରେ କୁହାଯାଇଛି ଯେ ପେଗାସସ୍ ସ୍ପାଏୱେୟାର ଅନୁସନ୍ଧାନରୁ ଜଣାପଡିଛି ଯେ ଲୋକଙ୍କ ଫୋନରେ ସାମରିକ ଶ୍ରେଣୀର ମାଲୱେର୍ ବ୍ୟବହାର କରାଯାଇଛି ଏବଂ ଏହା ଦ୍ବାରା ଗୁଇନ୍ଦାଗିରି କରାଯାଇ ଲୋକଙ୍କ ଡାଟା ଚୋରି ହୋଇଛି ଏବଂ ଅଜ୍ଞାତ ବ୍ୟକ୍ତି / ଡାଟାବେସ୍ କୁ ତାହା ପଠାଇବା ପାଇଁ ବ୍ୟବହାର କରାଯାଇଥିଲା। ଏହାକୁ ବିଶେଷଜ୍ଞମାନେ ସାଇବର ଯୁଦ୍ଧ ଭାବରେ ବ୍ୟାଖ୍ୟା କରିଛନ୍ତି ଏବଂ ଏହା ଲୋକଙ୍କ ବିରୋଧରୂ ସରକାରୀ ପ୍ରାୟୋଜିତ ସାଇବର ଆତଙ୍କବାଦ ଛଡା ଆଉ କିଛି ନୁହେଁ। ପେଗାସସ୍ ସଫ୍ଟୱେର୍ କେବଳ ଜାତୀୟ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ଉଦ୍ଦେଶ୍ୟରେ ସରକାରଙ୍କୁ ବିକ୍ରି କରାଯାଏ |

ସୂଚନାଯୋଗ୍ୟ ଯେ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଙ୍ଗଠନ ଏହାର ରିପୋର୍ଟରେ କହିଛି ଯେ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ନୀରିକ୍ଷଣ ପାଇଁ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ୩୦୦ରୁ ଊର୍ଦ୍ଧ୍ବ ଭାରତୀୟ ମୋବାଇଲ୍ ଫୋନ୍ ନମ୍ବର ସ୍ଥାନିତ ହୋଇଥିଲା।

Comments are closed.