ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଶୀଘ୍ର ଦୂର ହେବ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡାରେ କାର୍ଡିଆକ୍ କେୟାର୍ ଡାକ୍ତରଖାନା ଉଦଘାଟନ ଶୀଘ୍ର

ଝାରସୁଗୁଡ଼ା : କୋଭିତ୍ ମୁକାବିଲା କ୍ଷେତ୍ରରେ ଓଡିଶାକୁ ଅଭୂତପୂର୍ବ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏ ମହାମାରୀକୁ ପ୍ରତିହତ କରିବାରେ ରାଜ୍ୟ ସଫଳତା ହାସଲ କରି ସମଗ୍ର ବିଶ୍ବରୁ ପ୍ରଶଂସିତ ହୋଇପାରିଛି । ଆଉ ଏହି ମୁକାବିଲା ଏବେ ସରକାର ଏବଂ ଏଥିରେ ଜଡିତ ସମସ୍ତଙ୍କ ସତସାହସ ବଢାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ସ୍ଵାସ୍ଥ୍ୟ ଭିଭିଭୂମିରେ ବିରାଟ ପରିବର୍ତ୍ତନ ଆସିପାରିଛି । ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟର ସବୁ ଜିଲ୍ଲାରେ ସ୍ଵାସ୍ଥ୍ୟ ଭିଭିଭୂମିରେ ଉଲ୍ଲେଖନୀୟ ବିକାଶ ହୋଇପାରିଛି । ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ସ୍ଥାପନ କରିବା ଦ୍ଵାରା ଆଗକୁ ରାଜ୍ୟରେ ଡାକ୍ତର ଅଭାବଜନିତ ସମସ୍ୟା ବି ରହିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରକାଶ ପ୍ରକାଶ କରିଛନ୍ତି ।

ଝାରସୁଗୁଡା ସହରର କାଳୀବାଡ଼ି ଠାରେ ଏକ ଟିକାକରଣ କ୍ୟାମ୍ପକୁ ଉଦଘାଟନ କରି ଶ୍ରୀ ଦାସ ବିଭାଗ ସଂକ୍ରାନ୍ତରେ ଅନେକ ସୂଚନା ଦେଇଥିଲେ । ସବୁ ପ୍ରତିବନ୍ଧକ ସତ୍ତ୍ୱେ ମହାମାରୀ ବେଳେ ବି ଝାରସୁଗୁଡାର କାର୍ଡିଆକ୍ କେୟାର ଡାକ୍ତରଖାନାର ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିପାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଡାକ୍ତରଖାନା ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ବୋଲି ସେ ସୂଚନା ଦେଇଥିଲେ । ସେହିପରି କ୍ୟାନ୍‌ସର ଡାକ୍ତରଖାନା ନିର୍ମାଣ କାମ ବି ଜୋରସୋରରେ ଆଗେଇ ଚାଲିଥିବା ବେଳେ ଝାରସୁଗୁଡା ଖୁବ୍ ଶୀଘ୍ର ଏକ ସ୍ବାସ୍ଥ୍ୟସେବାର ହବ୍ ଭାବେ ପରିଣତ ହେବ ବୋଲି କହିଛନ୍ତି ।

କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଓ ସେବା ପାଇଁ ସିଡିଏମ୍‌ଓ ଡାକ୍ତର ଲାଲମୋହନ ରାୟଗୁରୁ , ଏଡିଏମ୍ଓ ଡାକ୍ତର ସୁପ୍ରଭା ବାରିକ , ଏପିଏମ୍ ଶୁଭ୍ରକାନ୍ତ ପଣ୍ଡାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ତାପସରାୟ ଚୌଧୁରୀ ସଂଯୋଜନା କରିଥିବା ବେଳେ ସନ୍ଦୀପ ଅଓ୍ବସ୍ଥି , ଏସକେ ଚକ୍ରବର୍ତ୍ତୀ , ସରିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.