ସାରାରାଜ୍ୟରେ ନାଇଟ କର୍ଫ୍ୟୁ ସହ ଆଜିଠାରୁ ଅନଲକ୍ ପ୍ରକ୍ରିୟା କାର୍ଯ୍ୟକାରୀ, ଖୋଲିବ ମଲ୍‌, ହଲ୍‌, ବାର ଓ ରେସ୍ତୋରାଁ

ଭୁବନେଶ୍ୱର- ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ନୂଆ କୋରୋନା ଗାଇଡଲାଇନ୍ ଆଜିଠାରୁ ଲାଗୁ ହୋଇଛି । ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସାରାରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ । କଟକ, ଭୁବନେଶ୍ୱର ଓ ପୁରୀ ସହରକୁ ଛାଡି ଦେଲେ ରାଜ୍ୟରୁ ସବୁଆଡେ ସକାଳ ୬ରୁ ରାତି ୮ଟା ଯାଏଁ ସବୁ ଦୋକାନବଜାର ଖୋଲିବ । ଏଣିକି ଏହି ତିନିଟି ସହରରେ ହିଁ ସପ୍ତାହାନ୍ତ ସଟ୍‌ଡାଉନ ବଜାୟ ରହିବ । ଆଜିଠୁ ମଲ୍‌, ସିନେମା ହଲ୍‌,ବାର୍ ଓ ରେସ୍ତୋରାଁ ସର୍ତ୍ତମୂଳକ ଭାବେ ଖୋଲିବ । ମଲ୍ ଭିତରକୁ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ପ୍ରବେଶ ଅନୁମତି ମିଳିବ । ସିନେମା ହଲ୍‌, ବାର୍ ଓ ରେସ୍ତୋରାଁ, ଢାବା ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଭୁବନେଶ୍ୱର , କଟକ ଓ ପୁରୀରେ ଦୁଇ ଡୋଜ୍ ଟିକା ନେଇଥିଲେ ହିଁ ପ୍ରାପ୍ତବୟସ୍କମାନେ ହଲ୍‌, ବାର୍ ଓ ରେସ୍ତୋରାଁରେ ପ୍ରବେଶ କରିପାରିବେ । ଏଥିପାଇଁ ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡିବ । ରାସ୍ତାକଡ ଜଳଖିଆ ଦୋକାନରେ ଲୋକେ କୋରୋନା କଟକଣା ମାନି ଖାଇପାରିବେ ।

ରାଜ୍ୟଭିତରେ ବସ୍ ଚଳାଚାଳ ଜାରି ରହିବ । କିନ୍ତୁ ନିର୍ଦ୍ଧାରିତ ସିଟ୍ ସଂଖ୍ୟାରୁ ଅଧିକ ଯାତ୍ରୀ ପରିହନ ହୋଇପାରିବ ନାହିଁ । ଅଟୋ, ଟ୍ୟାକ୍ସି, ଓଲା ଓ ଉବର ଚଳାଚଳକୁ ବି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅନଲକ ପ୍ରକ୍ରିୟାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା, ଅପେରା ଓ ମୁକ୍ତାକାଶ ରଙ୍ଗମଂଚ । ବେଳାଭୂମି, ପାର୍କ, ମ୍ୟୁଜିୟମ,ଚିଡିଆଖାନା, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ମିଳିଛି ।

ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡି ଦିଆଯାଇଛି । କିନ୍ତୁ ମନ୍ଦିର ଭିତରେ ଭୋଗ ଲାଗିପାରିବ ନାହିଁ । ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲା ରହିବ । ବସି ଖାଇବାକୁ ବି ଅନୁମତି ଦିଆଯାଇଛି ।

Comments are closed.