ଆଜିଠୁ ଏଟିଏମ୍‌ରୁ ଟଙ୍କା ବାହାର କରିବା ହେବ ମହଙ୍ଗା, ଜାଣନ୍ତୁ ନିୟମରେ କଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜିଠୁ (ଅଗଷ୍ଟ ୧) ସାଧାରଣ ଲୋକଙ୍କ ପକେଟ୍ ଓ ଜୀବନକୁ ପ୍ରଭାବିତ କଲାଭଳି କିଛି ପରିବର୍ତ୍ତନ ଲାଗୁ ହୋଇଛି । ବିଭିନ୍ନ ବ୍ୟାଙ୍କ୍ ଏଟିଏମ୍‌ରୁ ଟଙ୍କା ଉଠାଣ ଆଜିଠାରୁ ମହଙ୍ଗା ହୋଇଯିବ । କାରଣ ଦୁଇ ଭିନ୍ନ ବ୍ୟାଙ୍କ୍ ମଧ୍ୟରେ ଟ୍ରାଞ୍ଜାକ୍ସନ୍ ପାଇଁ ଥିବା ଇଣ୍ଟରଚେଞ୍ଜ୍ ଫି’ ବୃଦ୍ଧି କରାଯାଇଛି । ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିବ । ଆର୍‌ବିଆଇ ଇଣ୍ଟରଚେଞ୍ଜ୍ ଶୁଳ୍କ ୧୫ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରିଛି । ଆର୍‌ବିଆଇ ଏହି ନିଷ୍ପତ୍ତି ଜୁନ୍‌ରେ ନେଇଥିଲା । ଏହା ଆଜିଠାରୁ ଲାଗୁ ହେବ । ଅଣ ନଗଦ କାରବାର ପାଇଁ ମଧ୍ୟ ଇଣ୍ଟରଚେଞ୍ଜ୍ ଫି’ ୫ରୁ ୬ଟଙ୍କାକୁ ବୃଦ୍ଧି କରାଯାଇଛି । କୌଣସି ବ୍ୟାଙ୍କ୍ ଗ୍ରାହକ ନିଜ ବ୍ୟାଙ୍କ୍‌ର ଏଟିଏମ୍ କାର୍ଡ ଦ୍ୱାରା ଅନ୍ୟ ଏକ ବ୍ୟାଙ୍କ୍ ଏଟିଏମ୍‌ରୁ ଟଙ୍କା ବାହାର କଲେ ଇଣ୍ଟରଚେଞ୍ଜ୍ ଫି’ ଲାଗିଥାଏ ।

ଆଇସିଆଇସିଆଇ ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ମଧ୍ୟ ଆଜିଠୁ ଏଟିଏମ୍ କାରବାର ମହଙ୍ଗା ପଡ଼ିବ । ଦେଶର ୬ଟି ମେଟ୍ରୋ ସହରରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍ ଗ୍ରାହକ ଏଟିଏମ୍ ଜରିଆରେ କେବଳ ତିନିଥର ମାଗଣା ଟ୍ରାଞ୍ଜାକ୍ସନ କରିପାରିବେ । ଅନ୍ୟ ସହର ଗୁଡ଼ିକରେ ଏହି ବ୍ୟାଙ୍କ୍ ନିଜ ଗ୍ରାହକଙ୍କୁ ପାଞ୍ଚଟି ମାଗଣା ଟ୍ରାଞ୍ଜାକ୍ସନ୍ ସୁଯୋଗ ଦେଇଛି । ମେଟ୍ରୋ ସହରରେ ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ଟପିଲେ ପ୍ରତ୍ୟକ ଟ୍ରାଞ୍ଜାକ୍ସନ୍ ପାଇଁ ୨୦ ଟଙ୍କା ଏବଂ ଅନ୍ୟ ସହର ଗୁଡ଼ିକରେ ଅତିରିକ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ୮.୫୦ ଟଙ୍କା ଚାର୍ଜ ଲାଗିବ ।

ଆଜିଠାରୁ ଆର୍‌ବିଆଇ ଆଉ ଏକ ନିୟମରେ ପରିବର୍ତ୍ତନ କରିଛି ଯାହା ଫଳରେ ଏବେ ଛୁଟି ଦିନରେ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଦରମା ଆସିବ । ଆପଣଙ୍କୁ ଆଉ କାର୍ଯ୍ୟ ଦିବସ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆର୍‌ବିଆଇ ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନ୍‌ଏସିଏଚ୍‌) ନିୟମରେ ପରିବର୍ତ୍ତନ କରିଛି । ଏନ୍‌ଏସିଏଚ୍ ଏଣିକି ସପ୍ତାହର ସାତ ଦିନ ଚାଲୁ ରହିବ । ଫଳରେ ଦରମା ଓ ପେନସନ୍ ପାଇଁ ଛୁଟିଦିନ ସରିବା ଯାଏଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏବେ ରବିବାର କିମ୍ବା ଅନ୍ୟ ଛୁଟି ଦିବସରେ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଦରମା/ପେନସନ୍ ଆସିଯିବ ।

Comments are closed.