ଭାରତକୁ ମିଳିଲା ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା, ଫ୍ରାନ୍ସ ଓ ଋଷ୍‌ର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି । ଜାତିସଂଘ ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବେ ଭାରତକୁ ପ୍ରଥମ ଥର ଅଧ୍ୟକ୍ଷତା ପଦ ମିଳିଛି । ଭାରତ ଅଗଷ୍ଟ ମାସ ପାଇଁ ଏହି ପଦ ସମ୍ଭାଳିବ ।

ଜାତିସଂଘର ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ନିଜ କାର୍ଯ୍ୟକାଳ ମଧ୍ୟରେ ଆତଙ୍କବାଦ, ଶାନ୍ତି ପ୍ରତିଷ୍ଠା ଓ ସାମୁଦ୍ରିକ ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଧ୍ୟାନ ଦେବ ।

ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଭାରତକୁ ମିଳିବା ପରେ ଫ୍ରାନ୍ସ ଖୁସି ବ୍ୟକ୍ତ କରିଛି । ଏଥିପାଇଁ ଭାରତକୁ ଅଭିନନ୍ଦନ ଜଣାଇଛି ଫ୍ରାନ୍ସ । ଫ୍ରାନ୍ସ କହିଛି ଯେ, ଭାରତ ହିତ ମିଶି ଆତଙ୍କବାଦୀ ନିରୋଧୀ ପଦକ୍ଷେପ ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସାମୁଦ୍ରିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ଯ୍ୟ କରିବ । ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନୈନ ଟ୍ୱିଟ୍ କରି କହିଛନ୍ତି, ଫ୍ରାନ୍ସ ପରେ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବା ଖୁସିର ବିଷୟ । ସେହିପରି ଭାରତର ପାରମ୍ପରିକ ମିତ୍ରରାଷ୍ଟ୍ର ରୁଷ୍ ମଧ୍ୟ ଭାରତକୁ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ନେଇ ଶୁଭେଚ୍ଛା ଜଣାଇଛି । ଭାରତରେ ରୁଷୀୟ ରାଷ୍ଟ୍ରଦୂତ ନିକୋଲ କୁଦାଶେଭ ଟ୍ୱିଟ୍ କରି କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପାଇଁ ଭାରତକୁ ଅଭିନନ୍ଦନ । ଆମେ ଭାରତର ଏଜେଣ୍ଡାରେ ଏକମତ ଅଛୁ ।

Comments are closed.