ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ, ଭାରତୀୟ ପୁରୁଷ ହକି ଦଳ ଜିତିଲା ବ୍ରୋଞ୍ଜ

ଟୋକିଓ: ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛି । ୪୧ ବର୍ଷର ମରୁଡ଼ିର ଅନ୍ତ ଘଟାଇ ହକିରେ ଭାରତ ପଦକ ଜିତିଛି |ବ୍ରୋଞ୍ଜ ପଦକ ମ୍ୟାଚରେ ଟିମ୍ ଇଣ୍ଡିଆ ଜର୍ମାନୀକୁ ୫-୪ରେ ପରାସ୍ତ କରିଛି। ଅଲିମ୍ପିକ୍ସରେ ଭାରତ ଶେଷ ଥର ୧୯୮୦ ମସ୍କୋ ଅଲିମ୍ପିକ୍ସରେ ପୋଡିୟମ ଫିନିଶ କରିଥିଲା । ସେହି ସଂସ୍କରଣରେ ଭାସୁଦେବ ଭାସ୍କରନଙ୍କ ଅଧିନାୟକତ୍ୱରେ ଦଳ ସ୍ୱର୍ଣ୍ଣ ଜିତିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ୩-୧ଗୋଲରେ ପଛୁଆ ରହିବା ପରେ ଭାରତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚାରିଟି ଗୋଲ ସ୍କୋର କରିଥିଲା। ଭାରତ ପାଇଁ ସିମରନଜିତ ସିଂ (୧୭ ତମ ଏବଂ ୩୪ ତମ ମିନିଟ), ହାର୍ଦ୍ଦିକ ସିଂ (୨୭ ତମ), ହରମାନପ୍ରୀତ ସିଂ (୨୯ ତମ) ଏବଂ ରୁପିନ୍ଦର ପାଲ ସିଂ (୩୧ ତମ) ଗୋଲ୍ କରିଥିଲେ। ତେବେ ଚତୁର୍ଥ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ସ୍କୋର କରି ସ୍କୋରକୁ ୫-୪ କରି ଦେଇଥିଲା। ଫଳରେ ଭାରତୀୟମାନଙ୍କ ହୃଦ୍ ସ୍ପନ୍ଦନ ବଢ଼ିଯାଇଥିଲା । କିନ୍ତୁ ଭାରତ ଅଗ୍ରଣୀ ବଜାୟ ରଖି ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଥିଲା ।

Comments are closed.