ପେଗାସସ୍ ମାମଲାର ଗୁରୁବାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଗୁରୁବାର ସୁପ୍ରିମକୋର୍ଟ ପେଗାସସ୍ ଗୁଇନ୍ଦାଗିରି କେଳେଙ୍କେରୀର ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।
ପେଗାସସ୍ ସ୍ପାଏୱେର ଜରିଆରେ ଭାରତର ବହୁ ସାମ୍ବାଦିକ, ସାମାଜିକ କର୍ମୀ, ରାଜନେତା, ମନ୍ତ୍ରୀ, ସେନା ଅଧିକାରୀ, ବିଚାରପତିଙ୍କ ଫୋନ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ଏକ ଗମ୍ଭୀର ମାମଲା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ଏହାର ଏସ୍‌ଆଇଟି ତଦନ୍ତ ପାଇଁ ନିକଟରେ ବରିଷ୍ଠ ସାମ୍ବାଦିକ ଏନ୍‌.ରାମ ଓ ଶଶି କୁମାର ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଥିଲେ । କେନ୍ଦ୍ର ସରକାର ନିଜେ ପେଗାସସ୍ ସ୍ପାଏୱେର ବ୍ୟବହାର କରି ଭାରତୀୟ ନାଗରିିକଙ୍କ ଉପରେ ଗୁଇନ୍ଦାଗିରି କରିଛନ୍ତି ନା ଅନ୍ୟ କୌଣସି ସଂସ୍ଥା ଦ୍ୱାରା ଏହି ଏପରି ହୋଇଛି ତାହାର ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଉଭୟ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ଏହାଛଡ଼ା ଆଇନଜୀବୀ ଏମ୍‌ଏଲ୍ ଶର୍ମା ମଧ୍ୟ ଏହି ଗୁଇନ୍ଦାଗିରି କେଳେଙ୍କେରୀର ତଦନ୍ତ ନିବେଦନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Comments are closed.