ମହାରାଷ୍ଟ୍ର ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ବସରେ ନିଆଁ ଲାଗି ୨୫ ଯାତ୍ରୀ ଜୀବନ୍ତ ଦଗ୍ଧ

ପୁଣେ: ମହାରାଷ୍ଟ୍ରର ବୁଲଡାନା ଜିଲ୍ଲା ଅନ୍ତର୍ଗତ ସମୃଦ୍ଧି ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଡିଭାଇଡରକୁ ପିଟି ହେବା ପରେ ଏକ ବସରେ ନିଆଁ ଲାଗିଯିବାରୁ ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ।ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି । ଏହି ଘଟଣା ଶନିବାର ରାତି ପ୍ରାୟ ୨ଟା ବେଳେ ଘଟିଛି ।

ପୋଲିସ କହିଛି ଯେ ଏହି ଘରୋଇ ଯାତ୍ରୀବାହୀ ବସ୍ ନାଗପୁରରୁ ପୁଣେ ଅଭିମୁଖେ ଯାଉଥିଲାବେଳେ ବୁଲଡାନା ଜିଲ୍ଲାର ସିନ୍ଧଖେଡରାଜା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେବାପରେ ଜଳି ଯାଇଥିଲା।

ବୁଲଡାନା ଏସପି ସୁନୀଲ କାସଦେନଙ୍କ ସୂଚନା ଅନୁଯାୟୀ ବସ୍‌ର ଟାୟାର ଫାଟିଯିବା କାରଣରୁ ଏହା ଏକ ପୋଲ ଏବଂ ଡିଭାଇଡରକୁ ଧକ୍କା ଦେଇଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା। ବସ୍‌ରେ ଥିବା ୩୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ୮ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ‌।

ନାଗପୁରରୁ ପୁଣେ ଯାଉଥିବା ଏହି ଘରୋଇ ବସର ଡ୍ରାଇଭରଙ୍କ କହିବାନୁସାରେ, ଟାୟାର ଫାଟିଯିବା କାରଣରୁ ସେ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ । ବସ୍ ଏକ ଖୁଣ୍ଟ ଓ ଡିଭାଇଡରକୁ ଧକ୍କା ଦେବା ପରେ ଡିଜେଲ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା।

Comments are closed.