ଠିକାଦାରର ତାଲା ଭାଙ୍ଗି କୁଦଗୁଣ୍ଡେରପୁର ସ୍କୁଲ ଖୋଲିଲା ପ୍ରଶାସନ

ସମ୍ବଲପୁର : ଠିକାଦାର ଟଙ୍କା ପାଇନଥିବାରୁ ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ ଅନ୍ତର୍ଗତ କୁଦଗୁଣ୍ଡେରପୁର ହାଇସ୍କୁଲରେ ତାଲା ପକାଇ ଦେଇଥିଲେ। ଫଳରେ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା ଦିନରୁ କ୍ୟାମ୍ପସକୁ ପଶି ପାରୁନଥିଲେ। ଆଉ ନିକଟସ୍ଥ ଏକ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିଲେ। ହେଲେ ଏନେଇ ଖବର ପ୍ରକାଶିତ ହେବା ପରେ ଆଜି ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇଛନ୍ତି। ଆଉ ତାଙ୍କ ନିର୍ଦ୍ଦେଶରେ ବିଡିଓ ଏବଂ ଅନ୍ୟ ଅଧିକାରୀ ଗ୍ରାମବାସୀଙ୍କ ଉପସ୍ଥିତିରେ ଉକ୍ତ ସ୍କୁଲର ତାଲା ଭାଙ୍ଗିଥିବା ଜଣାପଡିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସ୍ବାଧୀନତାର 7 ଦଶନ୍ଧି ଧରି କୁଦଗୁଣ୍ଡେରପୁର ପଞ୍ଚାୟତ ଦ୍ବୀପ ଯନ୍ତ୍ରଣା ପାଇ ଆସିଥିଲା। ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦ୍ବୀପରେ ନିଜେ ହେଲିକପଟରରେ ଅବତରଣ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେତୁ ନିର୍ମାଣ ଯୋଜନା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏହି ପଞ୍ଚାୟତ ବାହାର ଦୁନିଆଁ ସହ ଯୋଡି ହୋଇଛି। ଆଉ ବିକାଶ ପ୍ରକ୍ରିୟା ଏଠି ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଏଠାରେ ଥିବା ହାଇସ୍କୁଲର ନିଜସ୍ବ କୋଠା ନଥିବାରୁ ଏହାକୁ 5ଟି ରେ ସାମିଲ କରାଯାଇଥିଲା। ଆଉ ନୂତନ କୋଠା ନିର୍ମାଣ କରାଯାଇଥିଲା। ଆକର୍ଷଣୀୟ ଭିତ୍ତିଭୂମି ସହ ଏହାର ନୂତନ କୋଠା କାମ ବି ଶେଷ ହୋଇଛି। ତେବେ, ଠିକାଦାର ଏହାର ପାଉଣା ପାଇନଥିବାରୁ ସ୍କୁଲ କ୍ୟାମ୍ପସରେ ତାଲା ପକାଇ ଦେଇଛନ୍ତି।
ଫଳରେ ଦୀର୍ଘ 2 ବର୍ଷ ପରେ ସ୍କୁଲ ଖୋଲିବା ମାତ୍ରେ ଛାତ୍ରଛାତ୍ରୀ ପାଠ ପଢିବାକୁ ଯିବା ବେଳେ ସେଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିଲେ। ତେବେ, ଏନେଇ ଆଜି ଗଣମାଧ୍ୟମରେ ପ୍ରକାଶିତ ହେବା ସହ ସିଏମ୍ଓ ଏବଂ 5ଟିରେ କିଛି ବ୍ୟକ୍ତି ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇଛନ୍ତି। ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧନକଉଡା ବିଡିଓ ଅନ୍ୟ ଅଧିକାରୀଙ୍କ ସହ ଉକ୍ତ ସ୍କୁଲକୁ ଯାଇ ତାଲା ଭାଙ୍ଗିଥିବା ସୂଚନା ମିଳିଛି।

ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି।

Comments are closed.