ଆଇଏଏସ୍ ଅଫିସରରୁ ମୁଖ୍ୟମନ୍ତ୍ରୀ ଦାବିଦାର, ଚର୍ଚ୍ଚାରେ ଛତିଶଗଡ଼ର ବିଜେପି ନେତା ଓପି ଚୌଧୁରୀ

ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି ଆଇଏଏସ୍ ଅଧିକାରୀରୁ ନେତା ପାଲଟିଥିବା ଓପି ଚୌଧୁରୀ ।‌ ରାୟଗଡ ଆସନରୁ ବିଜେପି ଟିକେଟରେ ଲଢ଼ିଥିବା ଚୌଧୁରୀ କଂଗ୍ରେସର ପ୍ରକାଶ ଶକ୍ରଜୀତ୍ ନାୟକଙ୍କୁ ୬୪,୦୦୦ ଭୋଟରେ ହରାଇଛନ୍ତି ।

ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ରମଣ ସିଂହଙ୍କ ସହ ଓପି ଚୌଧୁରୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ କୁହାଯାଉଥିବା ଚୌଧୁରୀ ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ । ସେହି ବର୍ଷ ସେ ରାୟଗଡ଼ ଜିଲ୍ଲାର ଖାର୍ସିଆ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରିଯାଇଥିଲେ । ବିଜେପି ମଧ୍ୟ ସେହି ବର୍ଷ ମାତ୍ର ୧୫ଟି ଆସନରେ ସୀମିତ ରହିଯାଇଥିଲା । କିନ୍ତୁ ଏଥର ଦ୍ବିତୀୟ ଉଦ୍ୟମରେ ସଫଳ ହୋଇଛନ୍ତି ଚୌଧୁରୀ ।

ବିଜେପିର ଜଣେ ବରିଷ୍ଠ ନେତା ଚୌଧୁରୀଙ୍କୁ ଜଣେ ଦକ୍ଷ ତଥା କାମରେ ବିଶ୍ୱାସ କରୁଥିବା ଜଣେ ବିଚକ୍ଷଣ ବ୍ୟକ୍ତି ରୂପେ ଅଭିହିତ କରିଛନ୍ତି।

ଚୌଧୁରୀ ୨୦୦୫ ବ୍ୟାଚର ଛତିଶଗଡ କ୍ୟାଡର ଆଇଏଏସ୍ ଅଧିକାରୀ ଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କ ପଦକ୍ଷେପ ପାଇଁ ତାଙ୍କୁ ତତ୍କାଳୀନ ୟୁପିଏ ସରକାର ପୁରସ୍କୃତ କରିଥିଲେ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ପରାମର୍ଶରେ ସେ ବିଜେପିରେ ସାମିଲ ହୋଇଥିଲେ।

Comments are closed.