୨୬ ବନାମ ୩୮: ବିରୋଧୀଙ୍କ ମେଳି ମଧ୍ୟରେ ଆଜି ଏନଡିଏର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ବେଙ୍ଗାଲୁରୁରେ ଚାଲିଥିବା ୨୬ ବିରୋଧୀ ଦଳଙ୍କ ବୈଠକ ମଧ୍ୟରେ ଆଜି ବିଜେପି ନେତୃତ୍ବାଧୀନ ଶାସକ ଏନଡିଏ ନିଜ ଶକ୍ତି ପ୍ରଦର୍ଶନ କରିବ । ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୩୮ ଦଳ ଯୋଗଦେବେ ବୋଲି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଦାବି କରିଛନ୍ତି ।

ବିଜେପି ସଭାପତି ନଡ୍ଡା କହିଛନ୍ତି, ଏନଡିଏର ୨୫ତମ ବାର୍ଷିକ ଉତ୍ସବରେ ଅନୁଷ୍ଠିତ ହେବାକୁ ଥିବା ଏହି ଶକ୍ତି ପ୍ରଦର୍ଶନରେ ୩୮ଟି ଦଳ ଅଂଶଗ୍ରହଣ କରିବେ । ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ବିକାଶ ଏଜେଣ୍ଡା, ଯୋଜନା, ନୀତି ପ୍ରତି ଏନଡିଏର ସମସ୍ତ ଦଳ ଆଗ୍ରହ ଦେଖାଇଛନ୍ତି। ଦଳଗୁଡ଼ିକ ଏନଡିଏକୁ ଉତ୍ସାହର ସହିତ ଆସୁଛନ୍ତି |

ଜେପି ନଡ୍ଡା କହିଛନ୍ତି ଯେ ଏନଡିଏରୁ ଯେଉଁ ସହଯୋଗୀ ଦଳ ଗୁଡ଼ିକ ଓହରି ଯାଇଥିଲେ ସେମାନେ ମଧ୍ୟ ଭାରତକୁ ମଜବୁତ କରିବା ପାଇଁ ପୁଣି ଏକାଠି ହେଉଛନ୍ତି । ବିଜେପି ଏହାର ବିଚାରଧାରା ପ୍ରତି ପ୍ରତିବଦ୍ଧ।

ବିଜେପି କହିବା ଅନୁସାରେ ଏନଡିଏ ସହଯୋଗୀଙ୍କ ସଂଖ୍ୟା ୧୯୯୮ରେ ୨୪ ଥିଲା, ଯାହା ବର୍ତ୍ତମାନ ୩୮କୁ ବୃଦ୍ଧି ପାଇଛି। ଏହା ଦଳର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା ତଥା ଲୋକପ୍ରିୟତାର ସଙ୍କେତ।

ତେବେ ବିଜେପି ସଭାପତି ନଡ୍ଡା ଏନଡିଏ ବୈଠକରେ ଯୋଗ ଦେବାକୁ ଥିବା ୩୮ ସହଯୋଗୀ ଦଳଙ୍କ ନାମ ପ୍ରକାଶ କରିନାହାଁନ୍ତି।

Comments are closed.