ପାକିସ୍ତାନ: ରାଜନୈତିକ ରାଲିରେ ଆତ୍ମଘାତୀ ବିସ୍ଫୋରଣ; ୪୦ ମୃତ, ୨୦୦ରୁ ଊର୍ଦ୍ଧ୍ବ ଆହତ

ପେଶାୱାର: ପାକିସ୍ତାନର ଖାଇବର ପାଖ୍ତୁନଖାଓ୍ବା ପ୍ରଦେଶର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ରବିବାର ଏକ ଚରମପନ୍ଥୀ ଇସଲାମୀୟ ରାଜନୈତିକ ଦଳର ସଭାରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏହି ବିସ୍ଫୋରଣ ବାଜୋର୍ ଜିଲ୍ଲାର ଖାର ଠାରେ ଏକ ଜମିଆତ୍ ଉଲେମା-ଇ-ଇସଲାମ-ଫଜଲ (ଜେୟୁଆଇ-ଏଫ୍)ର କର୍ମୀ ସମ୍ମିଳନୀରେ ଘଟିଥିଲା।

ଟେଲିଭିଜନ ଫୁଟେଜରେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ଲୋକେ ଭୟଭୀତ ହୋଇ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଉଥିବା ଦେଖାଯାଉଛି । ବିସ୍ଫୋରଣ ସମୟରେ ସଭା ସ୍ଥଳରେ ୫୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ।

ପୋଲିସ୍ ଡିଜି (ମାଲକାନ୍ ରେଞ୍ଜ) ନାସିର ମେହମୁଦ ସତ୍ତୀ କହିଛନ୍ତି ଯେ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିସ୍ଫୋରଣର କାରଣ ଜାଣିବା ପାଇଁ ପ୍ରମାଣ ସଂଗ୍ରହ କରାଯାଉଛି। ସେ କହିଛନ୍ତି ଯେ ଏହି ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।

ଜେୟୁଆଇ-ଏଫ୍ ମୁଖ୍ୟ ମୌଲାନା ଫଜଲୁର ରେହମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ପ୍ରଦେଶର କାର୍ଯ୍ୟନିର୍ବାହୀ ମୁଖ୍ୟ ଆଜମ ଖାନଙ୍କୁ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି। ପାର୍ଟି କର୍ମୀଙ୍କୁ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ରକ୍ତ ଦାନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ପୋଲିସ କହିଛି ଯେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି ।

ଗତ ବର୍ଷ ନଭେମ୍ବରରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରି ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଜାନୁଆରୀ ୩୦ରେ ପାକିସ୍ତାନୀ ତାଲିବାନର ଜଣେ ଆତ୍ମଘାତୀ ପେଶୱାରର ଏକ ମସଜିଦରେ ନମାଜ ଚାଲିଥିବା ବେଳେ ବିସ୍ଫୋରଣ କରିବାରୁ ୧୦୧ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ।

ଫେବୃଆରୀରେ ପାକିସ୍ତାନର ସବୁଠୁ ଜନବହୁଳ ସହର କରାଚିରେ ପୋଲିସ୍ ମୁଖ୍ୟଙ୍କ କାର୍ଯ୍ୟାଳୟରେ ସଶସ୍ତ୍ର ଟିଟିପି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ଏବଂ ଦୁଇ ଜଣ ପୋଲିସ୍ କନଷ୍ଟେବଳଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

Comments are closed.