ଶ୍ରୀଲଙ୍କା: ବିପଦରେ ରାଜପକ୍ଷେ ସରକାର, ଓହରିଲେ ୪୦ ସାଂସଦ

କଲମ୍ବୋ: ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଯୋଗୁଁ ସାଧାରଣ ଲୋକଙ୍କ ରୋଷର ଶିକାର ହୋଇଥିବା ଗୋତାବାୟା ରାଜପକ୍ଷେ ସରକାର ପ୍ରତି ବିପଦ ବଢ଼ିବାରେ ଲାଗିଛି । ଲୋକଙ୍କ ପରେ ଏବେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ନିଜ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେଉଛନ୍ତି। ଗୋତାବାୟା ରାଜପକ୍ଷେ ନେତୃତ୍ଵାଧୀନ ମେଣ୍ଟ ସରକାରରୁ ୪୦ ସାଂସଦ ଓହରି ଯାଇଛନ୍ତି। ତେବେ ଆର୍ଥିକ ସଙ୍କଟ ଓ ଲୋକ ଓ ସରକାର ଭିତରୁ ବିରୋଧ ସତ୍ତ୍ୱେ ରାଷ୍ଟ୍ରପତି ରାଜପକ୍ଷେ ଇସ୍ତଫା ନ ଦେବା ଜିଦରେ ଅଟଳ ଅଛନ୍ତି। ଅନ୍ୟପଟେ ବିରୋଧୀଦଳ ମଧ୍ୟ ରାଜପକ୍ଷେ ସରକାରରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କ ଅନୁରୋଧକୁ ଗ୍ରହଣ କରିନାହିଁ। ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ସଂସଦରେ ଆର୍ଥିକ ସଙ୍କଟ ବିଷୟରେ ଆଲୋଚନା ବେଳେ ଶାସକ ଦଳର ୪୦ ଜଣ ସାଂସଦ ଅଲଗା ବସିବାକୁ ଘୋଷଣା କରିଥିଲେ। ସେପଟେ ବିରୋଧୀ ଦଳ ରାଜପକ୍ଷେ ସରକାର ବହୁମତ ସାବ୍ୟସ୍ତ କରୁ ବୋଲି ଦାବି କରିଛନ୍ତି ।

ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ ବିମଲ ବୀରାବନ୍ସା ଘୋଷଣା କରିଛନ୍ତି ଯେ ୧୭ ଜଣ ସାଂସଦ ସ୍ୱାଧୀନ ଗୋଷ୍ଠୀ ଭାବରେ ସଂସଦରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଇତି ମଧ୍ୟରେ ଶ୍ରୀଲଙ୍କା ପୋଡୁଜାନା ପେରୁମୁନା ମଧ୍ୟ କହିଛି ଯେ ଶାସକ ଦଳର ୧୨ ଜଣ ସାଂସଦ ସଂସଦରେ ଅଲଗା ବସିବାକୁ ଘୋଷଣା କରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈତ୍ରିପାଲ ଶିରିସେନା କହିଛନ୍ତି, ୧୬ ଜଣ ସାଂସଦ ଅଲଗା ବସିବେ। ସଂସଦର ବର୍ତ୍ତମାନର ଅଧିବେଶନରେ ଏହି ସାଂସଦମାନେ ସେମାନଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେପଟେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ କହିଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ । କିନ୍ତୁ ସଂସଦରେ ୧୧୩ ଟି ଆସନ ଥିବା କୌଣସି ଦଳକୁ ବି ସରକାର ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ଅଛନ୍ତି ।

ଡେଲି ମିରର ରିପୋର୍ଟ ଅନୁଯାୟୀ ଦେଶବ୍ୟାପୀ ଗଣବିକ୍ଷୋଭ ମଧ୍ୟରେ ସୋମବାର ରାଷ୍ଟ୍ରପତି ରାଜପକ୍ଷେ ଅନେକ ରାଜନୈତିକ ବୈଠକ କରିଥିଲେ। ରାଷ୍ଟ୍ରପତିଙ୍କ ଶ୍ରୀଲଙ୍କା ପୋଡୁଜାନା ପେରୁମୁନା (ଏସ୍ଏଲପିପି) ବର୍ତ୍ତମାନ ୧୧୩ ଟି ଆସନ ବଜାୟ ରଖିବାକୁ ଚେଷ୍ଟା କରୁଛି ଯାହା ଦ୍ଵାରା ଦଳ ହାରାହାରି ବହୁମତ ସହ ସରକାରରେ ରହିପାରିବେ । ରାଷ୍ଟ୍ରପତି ଗୋତାବାୟାଙ୍କ ଭାଇ ମହିନ୍ଦା ରାଜପକ୍ଷେ ମଧ୍ୟ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। ଏହି ସମୟରେ ଏସଏଲପିପିର ମିଳିତ ସହଯୋଗୀ ଶ୍ରୀଲଙ୍କା ଫ୍ରିଡମ୍ ପାର୍ଟି (ଏସ୍ଏଲ୍ଏଫପି) ସମସ୍ତ ୧୪ ସାଂସଦ ସରକାର ଛାଡିବେ ବୋଲି ଘୋଷଣା କରିଛନ୍ତି।

Comments are closed.