ବାହାନଗା ଟ୍ରେନ୍ ଦୁର୍ଘଟଣା: ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି ୪୦ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ବାଲେଶ୍ଵର ନିକଟ ବାହାନଗା ବଜାର ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ମୃତକଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି । ଜିଆରପି ପକ୍ଷରୁ ଏହି ସୂଚନା ଦିଆଯାଇଛି । କରମଣ୍ଡଳ ଏକ୍ସପ୍ରେସରୁ ଉଦ୍ଧାର ୪୦ଟି ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିଲା । ତେଣୁ ସେମାନଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତ ଯୋଗୁ ହୋଇଥିବା ମନେ କରାଯାଉଛି ।

ବାଲେଶ୍ବର ଜିଆରପି ଥାନାରେ ପୋଲିସ୍ ସବ୍ ଇନ୍ସପେକ୍ଟର ପି କୁମାର ନାୟକଙ୍କ ପକ୍ଷରୁ ଦାୟର ଏତଲା ମୁତାବକ ଟ୍ରେନ ଦୁର୍ଘଟଣା ପରେ ଓଭରହେଡ୍ ତାର ଗୁଡ଼ିକ ଛିଣ୍ଡି କିଛି ବଗି ଉପରେ ପଡ଼ିଥିଲା । ଫଳରେ କିଛି ଯାତ୍ରୀ ଏହି ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ ।

ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ପରେ ବଗି ଗୁଡ଼ିକ ଓଲଟି ପଡିବାରୁ କିଛି ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଥିଲା । ଯାହାଫଳରେ ଓଭରହେଡ ତାରଗୁଡିକ ଛିଣ୍ଡି ଟ୍ରେନ୍ ବଗି ଉପରେ ପଡ଼ିଥିଲା ।

ବାଲେଶ୍ଵର ନିକଟ ବାହାନଗା ବଜାର ଷ୍ଟେସନରେ ଶୁକ୍ରବାର ଘଟିଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨୦୦ ଲୋକ ଆହତ ହୋଇଛନ୍ତି।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

Comments are closed.