ଫୁଲବାଣୀ ପୁସ୍ତକ ମେଳା ଉଦଘାଟିତ

ଫୁଲବାଣୀ: ମହାମାରୀ କୋରୋନା ଅପସରି ଯିବା ପରେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନରେ ଫୁଲବାଣୀରେ ପୁଣି ଆୟୋଜିତ ହୋଇଛି ପୁସ୍ତକ ମେଳା। ଜିଲ୍ଲାର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୂଖ୍ୟ ଆନୁକୂଲ୍ୟରେ ସ୍ଥାନୀୟ ଏଜେଓ ହାଇସ୍କୁଲ ପଡିଆ( ବି ଟିମ୍) ପଡିଆ ଠାରେ ରୌପ୍ୟ ଜୟନ୍ତୀ ପୁସ୍ତକ ମେଳା ଉଦଘାଟିତ ହୋଇଛି।

ସାମ୍ମୂଖ୍ୟ ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ପୁସ୍ତକ ମେଳାର ସଫଳ ଆୟୋଜନ କାମନା କରିଥିଲେ। ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇ ଜୀବନରେ ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି କହିଥିଲେ। ଲକ୍ଷ୍ମୀ ପୁରାଣର ଅବତାରଣା କରି ଓଡିଆ ସାହିତ୍ୟରେ ନାରୀ ସଶକ୍ତିକରଣର ବ୍ୟାଖ୍ୟାକୁ ନେଇ ମତ ରଖିଥିଲେ।

ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ପୁସ୍ତକ ମେଳା ଆୟୋଜନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। କନ୍ଧମାଳ ଜିଲ୍ଲାପାଳ ଆଶୀଷ ଈଶ୍ବର ପାଟିଲ ଯୋଗ ଦେଇ ପୁସ୍ତକ ପ୍ରତିଟି ମଣିଷକୁ କିପରି ବାନ୍ଧି ରଖେ ଓ ସଫଳତା ହାସଲ ପାଇଁ ସହାୟତା କରେ ସେ ନେଇ ମତ ଦେଇଥିଲେ। ଏ ଅବସରରେ କନ୍ଧମାଳର କମଳା ପାଣ୍ଡେ, ବଣମଲ୍ଲୀ ପ୍ରଭୃତି ଅନେକ ପୁସ୍ତକ ଉନ୍ମୋଚିତ ହେବା ସହ ସାରସ୍ଵତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କୈଳାସ ଧଳ ଉଦ୍ଘାଟନୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ହରପ୍ରିୟା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଲେଖକ ସାମ୍ମୂଖ୍ୟ ସମ୍ପାଦକ ବନ ବିହାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଫୁଲବାଣୀ ପୁସ୍ତକ ମେଳାର ଏହି ରୌପ୍ୟ ଜୟନ୍ତୀ ଅବସରରେ ଲେଖକ ସାମ୍ମୂଖ୍ୟର ୪୨ ତମ ବାର୍ଷିକ ଉତ୍ସବ ମଧ୍ୟ ଆୟୋଜିତ ହୋଇଛି। ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ପ୍ରଥମ ପ୍ରକାଶନ ସଂସ୍ଥା କମଳା ପ୍ରକାଶନୀକୁ ମୁଖ୍ୟ ଅତିଥି କବି ପ୍ରସନ୍ନ ପାଟ୍ଟଶାଣୀ ଉଦଘାଟନ କରିଥିଲେ ।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟର ଅନେକ ଖ୍ୟାତି ସମ୍ପନ୍ନ ପ୍ରକାଶକମାନେ ଯୋଗ ଦେଉଛନ୍ତି। ପ୍ରଥମ ଦିନରୁ ହିଁ ଲୋକଙ୍କ ଭିଡ ଆରମ୍ଭ ହୋଇଯାଇଛି। ପ୍ରତି ଦିନ ସାଂସ୍କୃତିକ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି।

Comments are closed.