ପାକିସ୍ତାନରେ ମେଣ୍ଟ ସରକାର ସମ୍ଭାବନା, ଶହବାଜ ସରିଫ୍ ପୁଣି ହେବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ ବିଭାଜିତ ଜନାଦେଶ ପରେ ନୂଆ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଶହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଥିବାବେଳେ ଦେଶରେ ପିଏମ୍ଏଲ୍-ଏନ୍ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମେଣ୍ଟ ସରକାର ହେବ । ଆଉ କିଛି ଛୋଟ ଦଳ ଏହି ମେଣ୍ଟର ଅଂଶ ହେବେ । ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଏହି ମେଣ୍ଟ ସହଜରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବା ସମ୍ଭାବନା ରହିଛି ।

ଶହବାଜ ସରିଫ ମଙ୍ଗଳବାର ରାତିରେ ପାକିସ୍ତାନ ମୁସଲିମ ଲିଗ-କାଏଦ (ପିଏମଏଲ-କ୍ୟୁ) ର ସଜାତ ହୁସେନଙ୍କ ବାସଭବନରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଆସିଫ ଅଲି ଜର୍ଦାରୀ, ମୁତାହିଦା କ୍ବାମି ମୁଭମେଣ୍ଟ ପାକିସ୍ତାନ (ଏମକ୍ୟୁଏମ୍-ପି)ର ଖାଲିଦ ମକବୁଲ ସିଦ୍ଦିକିଙ୍କୁ ଭେଟିଥିଲେ। ଏହି ବୈଠକରେ ମିଳିତ ସରକାର ଗଠନ କରିବାକୁ ସହମତି ପ୍ରକାଶ ପାଇଥିଲା ।

ବୈଠକ ପରେ ସରିଫ ସରକାର ଗଠନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମ୍ଏଲ୍-ଏନ୍) କୁ ସମର୍ଥନ କରିଥିବାରୁ ଜର୍ଦ୍ଦାରୀ ଓ ବିଲାୱାଲ (ଭୁଟ୍ଟୋ)କୁ କୃତଜ୍ଞତା ଜଣାଇଥିଲେ ।

ପିଏମଏଲ-ଏନ ସୂଚନା ସମ୍ପାଦକ ମରିୟମ ଔରଙ୍ଗଜେବ କହିଛନ୍ତି ଯେ ଦଳର ସୁପ୍ରିମୋ ନୱାଜ ସରିଫ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଦଳର ସଭାପତି ତଥା ତାଙ୍କ ସାନଭାଇ ଶହବାଜ ସରିଫଙ୍କୁ (୭୨) ମନୋନୀତ କରିଛନ୍ତି। ପିଏମଏଲ-ଏନ ବରିଷ୍ଠ ଉପସଭାପତି ମରିୟମ ନୱାଜଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇଛି ବୋଲି ସେ ସେ ସୂଚନା ଦେଇଛନ୍ତି ।

ଏପ୍ରିଲ ୨୦୨୨ରେ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାରକୁ କ୍ଷମତାରୁ ହଟାଇ ପ୍ରଧାନମନ୍ତ୍ରୀ ହୋଇଥିବା ଶହବାଜ ସରିଫ୍ କହିଛନ୍ତି, ନିର୍ବାଚନ ପରେ
ପିଏମଏଲ-ଏନ ସହିତ ଅନ୍ୟ ଦଳ ଗୁଡ଼ିକ ହାତ ମିଳାଇଛନ୍ତି। ଯାହା ଫଳରେ ସଂସଦରେ ଆମ ପାଖରେ “ପ୍ରାୟ ଦୁଇ-ତୃତୀୟାଂଶ” ବହୁମତ ରହିଛି। ନୂଆ ସରକାର ଦେଶକୁ ସଙ୍କଟରୁ ମୁକ୍ତ କରିବ ବୋଲି ସରିଫ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପାକିସ୍ତାନର ନିର୍ବାଚନ କମିଶନ ତଥ୍ୟ ଅନୁଯାୟୀ, ପିଏମ୍ଏଲ୍-ଏନ୍, ପିପିପି, ଏମକ୍ୟୁଏମ୍-ପି, ପିଏମ୍ଏଲ୍-କ୍ୟୁ, ଆଇପିପି (ଇସ୍ତିକାମ-ଏ-ପାକିସ୍ତାନ ପାର୍ଟି) ଓ ବଲୁଚିସ୍ତାନ ଆୱାମୀ ପାର୍ଟି (ବିଏପି) ମିଶି ମୋଟ ୧୫୨ ଆସନ ଜିତିଛନ୍ତି। ଏହି ସବୁ ଦଳ ଶହବାଜ ସରିଫଙ୍କ ନେତୃତ୍ୱରେ ଏକ ମିଳିତ ସରକାର ଗଠନ ପାଇଁ ଯୋଜନା ଘୋଷଣା କରିଛନ୍ତି।

ଏହି ‌ଦଳ ଗୁଡ଼ିକ ଆଉ ୬୦ ମହିଳା ଓ ୧୦ ସଂଖ୍ୟାଲଘୁ ଆସନ ପାଇବା ପରେ କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ୧୬୯ ସଂଖ୍ୟା ହାସଲ କରିବେ। ତଥାପି ୩୩୬ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ଏହି ଦଳ ଗୁଡ଼ିକ ୨୨୪ ର ମ୍ୟାଜିକ୍ ନମ୍ବର ହାସଲ କରିବେ କି ନାହିଁ ଦେଖିବାକୁ ବାକି ରହିଲା।

ସଦ୍ୟତମ ରାଜନୈତିକ ଘଟଣାକ୍ରମ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଦଳ କହିଛି, ପିଏମ୍ଏଲ୍-ଏନ୍ ପାଇଁ ସବୁଠୁ ଭଲ ବିକଳ୍ପ ହେଉଛି ଦଳ ନିଜ ପରାଜୟକୁ ଦୟାକରି ସ୍ବୀକାର କରିବା” ଏବଂ ଇମ୍ରାନ ଖାନଙ୍କୁ ଦେଶକୁ ସଙ୍କଟରୁ ମୁକୁଳାଇବା ପାଇଁ ସୁଯୋଗ ଦେବା ।”

ଫେବୃଆରୀ ୮ରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଇମ୍ରାନ ଖାନଙ୍କ ଦଳ ​​ପିଟିଆଇ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ଟି ଆସନ ଜିତିଥିଲେ ।

Comments are closed.