୧୩ ବର୍ଷ ପରେ ଆସିଲା ଅହମ୍ମଦାବାଦ ସିରିଜ୍ ବିସ୍ଫୋରଣ ମାମଲାର ରାୟ, ୪୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଆଉ ୨୮ ଦୋଷମୁକ୍ତ

ନୂଆଦିଲ୍ଲୀ: ୧୩ ବର୍ଷ ପରେ ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାର ରାୟ ଆସିଛି। ଏହି ବିସ୍ଫୋରଣ ମାମଲାରେ ୪୯ ଅଭିଯୁକ୍ତଙ୍କୁ ଏକ ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏବଂ ୨୮ ଜଣଙ୍କୁ ଦୋଷମୁକ୍ତ କରାଯାଇଛି। ଆସନ୍ତାକାଲି ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ୨୦୦୮ରେ ଅହମ୍ମଦାବାଦରେ ଘଟିଥିବା ସିରିଜ୍ ବୋମା ବିସ୍ଫୋରଣରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୭୦ ମିନିଟ୍ ମଧ୍ୟରେ ୨୧ଟି ବୋମା ବିସ୍ଫୋରଣରେ ପୂରା ସହର ଥରି ଉଠିଥିଲା |

ଜଣେ ବରିଷ୍ଠ ସରକାରୀ ଓକିଲ କହିଛନ୍ତି ଯେ ପ୍ରାୟ ୮୦ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ୧୩ ବର୍ଷରୁ ଅଧିକ ପୁରୁଣା ମାମଲାରେ କୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ ଶୁଣାଣି ଶେଷ କରିଥିଲେ। ଫେବୃଆରୀ ୧ରେ ଟ୍ରାଏଲ କୋର୍ଟ ଏହି ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ତେବେ ବିଚାରପତି କରୋନା ସଂକ୍ରମିତ ହେବାରୁ ରାୟ ପ୍ରକାଶ ଫେବୃଆରୀ ୮କୁ ଘୁଞ୍ଚାଇ ଦିଆଯାଇଥିଲା |

୨୬ ଜୁଲାଇ ୨୦୦୮ରେ ଅହମ୍ମଦାବାଦ ସହର ସିରିଜ୍ ବୋମା ବିସ୍ଫୋରଣରେ ଥରି ଉଠିଥିଲା । ୭୦ ମିନିଟ୍ ବ୍ୟବଧାନରେ ସହରର ବିଭିନ୍ନ ସ୍ଥାନରେ ୨୧ଟି ବୋମା ବିସ୍ଫୋରଣରେ ହୋଇଥିଲା। ଏଥିରେ ୫୬ ଜଣଙ୍କର ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୦୨ ଗୁଜୁରାଟ ଦଙ୍ଗାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ ମୁଜାହିଦ୍ଦିନ’ ଏହି ଆକ୍ରମଣ କରିଥିଲା ବୋଲି ପୋଲିସ ଦାବି କରିଥିଲା।

ଏହି ମାମଲାର ୭୮ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଡିସେମ୍ବର ୨୦୦୯ରେ ଆରମ୍ଭ ହୋଇଥିଲା । ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିଲେ। ମାମଲାର ଶୁଣାଣି ସମୟରେ ପ୍ରାୟ ୧୧୦୦ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

Comments are closed.