ମହୀଶୂର ଗଣବଳାତ୍କାର ଘଟଣାରେ ୫ ଗିରଫ

ବେଙ୍ଗାଲୁରୁ: ମହୀଶୂର ଗଣବଳାତ୍କାର ଘଟଣାରେ କର୍ଣ୍ଣାଟକ ପୋଲିସ୍ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କର୍ଣ୍ଣାଟକ ପୋଲିସ୍ ମହାନିର୍ଦ୍ଦେଶକ ପ୍ରବୀଣ ସୁଦ୍ ଶନିବାର ଏହି ସୂଚନା ଦେଇଛନ୍ତି । ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତାକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।
ଗିରଫ ପାଞ୍ଚ ଅଭିଯୁକ୍ତ ତାମିଲନାଡୁର ତିରୁପୂର ଜିଲ୍ଲାର । ସେମାନେ ସମସ୍ତେ ଶ୍ରମିକ ଶ୍ରେଣୀର । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୧୭ ବର୍ଷ ବୟସର ନାବାଳକ ଥିବା ସନ୍ଦେହ କରାଯାଉଛି । ଏନେଇ ଆମେ ଯାଞ୍ଚ୍ କରୁଛୁ ବୋଲି ସୁଦ୍ କହିଛନ୍ତି ।
ମହୀଶୂର ଛାତ୍ରୀ ଗଣବଳାତ୍କାର ନେଇ ରାଜ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଦୋଷୀଙ୍କୁ ଧରିବାରେ ବିଳମ୍ବ ନେଇ କର୍ଣ୍ଣାଟକ ପୋଲିସ୍ ମଧ୍ୟ ସମାଲୋଚିତ ହୋଇଛି ।

ଗତ ମଙ୍ଗଳବାର ସନ୍ଧ୍ୟାରେ ମହୀଶୂର ସହର ଉପକଣ୍ଠ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଚାମୁଣ୍ଡି ହିଲ୍ସ ନିକଟରେ ମହୀଶୂର ବିଶ୍ୱବିଦ୍ୟାଳୟର ଜଣେ ୨୨ ବର୍ଷୀୟା ଏମ୍‌ବିଏ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ୫ରୁ ୬ ଦୁର୍ବୃତ୍ତ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବା ପରେ ସେମାନେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଲହୁ ଲୁହାଣ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ ।
ପୀଡ଼ିତା ହେଉଛନ୍ତି ମହାରାଷ୍ଟ୍ରର ମୂଳ ବାସିନ୍ଦା । ସେ ମହୀଶୂର ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଛନ୍ତି । ପୀଡ଼ିତା ସମ୍ପ୍ରତି ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ଘଟଣା ପରେ ପୀଡ଼ିତାଙ୍କୁ ଗଭୀର ମାନସିକ ଆଘାତ ଲାଗିଥିବାରୁ ପୋଲିସ୍ ତାଙ୍କ ବୟାନ ରେକର୍ଡ କରିପାରି ନାହିଁ ବୋଲି କର୍ଣ୍ଣାଟକ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର କହିଛନ୍ତି ।

Comments are closed.