ଭାସିଗଲା ଅଲିଭରିଡ୍‌ଲେ ଅଣ୍ଡା

ଛତ୍ରପୁର: ବାତ୍ୟା ଅସାନି ପ୍ରଭାବରେ ଅଶାନ୍ତ ବଙ୍ଗୋପସାଗରରେ ଉଚ୍ଚ ଢେଉ ଉଠି ବାଲୁକା ଶଯ୍ୟା ଧୋଇ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଦେଢ଼ ମାସ ତଳେ ସାମୂହିକ ଅଣ୍ଡାଦାନ କରିଥିବା ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍‌ଲେଙ୍କ ବହୁ ସଂଖ୍ୟକ ଅଣ୍ଡା ଭାସି ଯାଇଛି। ଆହୁରି ଅନେକ ଅଣ୍ଡା ବାଲିରୁ ବାହାରି ଖୋଲାରେ ପଡିଛି ଯାହାକୁ ପକ୍ଷୀମାନେ ଖାଇଦେବା କିମ୍ବା ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେବେ ଉଚ୍ଚ ସାମୁଦ୍ରିକ ଢେଉ, ବାଲୁକା ଶଯ୍ୟା କ୍ଷୟ କାରଣରୁ ପ୍ରତିବର୍ଷ ୧୫ରୁ ୨୦ ପ୍ରତିଶତ ଅଣ୍ଡା ନଷ୍ଟ ହେବା ସ୍ବାଭାବିକ କଥା।

ବାତ୍ୟା ପ୍ରଭାବରେ ଏଥର ଏହି ପରିମାଣ ଆଉ କିଛିଟା ଅଧିକ ହୋଇପାରେ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ। ଗତ ମାର୍ଚ୍ଚ ୨୬ ତାରିଖ ରାତିରୁ ଏପ୍ରିଲ୍ ୩ ତାରିଖ ରାତି ମଧ୍ୟରେ ରେକର୍ଡସଂଖ୍ୟକ ୫ ଲକ୍ଷ ୫୦ ହଜାରରୁ ଅଧିକ ଗଣ ଅଣ୍ଡାଦାନ ହୋଇଥିଲା। ଅନୁକୂଳ ପାଗ ସହ ଦକ୍ଷିଣା ପବନ ପ୍ରବାହ ହେତୁ ଏଥର ଏତେମାତ୍ରରେ ସାମୂହିକ ଅଣ୍ଡାଦାନ ହୋଇପାରିଥିଲା।

ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତ ନିକଟ ଗୋଖରକୁଦାରୁ ପୋଡ଼ମପେଟା ବେଳାଭୂମି ସମେତ ଏଥର ନୂଆ ମୁହାଣ ନିକଟ ଦ୍ବୀପରେ ଅଲିଭ୍ ରିଡ୍‌ଲେ ଅଣ୍ଡାଦାନ କରିଥିଲେ। ଏହା ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଅଣ୍ଡାଗୁଡିକୁ ସୁରକ୍ଷିତ ରଖିବାକୁ ବନବିଭାଗ ସମସ୍ତ ଚେଷ୍ଟା କରୁଛି। ଶୀଘ୍ର ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରମୁହାଁ ହେବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Comments are closed.