ଅର୍ଚ୍ଚନାଙ୍କୁ ଆଉ ଦୁଇଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ ଖାରଜ, ଜେଲ ଯିବେ ଲେଡି ବ୍ଲାକମେଲର

ଭୁବନେଶ୍ବର – ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡି ପକ୍ଷରୁ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବା ସଂପର୍କିତ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ରିମାଣ୍ଡ ଆବେଦନ ଖାରଜ ହୋଇଯିବାପରେ ଅର୍ଚ୍ଚନା ନାଗ ଝାରପଡ଼ା ଜେଲ ଯିବେ ବୋଲି ଜଣାପଡ଼ିଛି।

ବ୍ଲାକମେଲିଂ ମାମଲାର ତଦନ୍ତରେ ଅର୍ଚ୍ଚନା ନାଗ ସହଯୋଗ କରୁନାହାନ୍ତି ଓ ପଚରା ଉଚରାବେଳେ ଅର୍ଚ୍ଚନା ଠିକରେ ଉତ୍ତର ଦେଉନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଥିଲା। ଏ‌ହା ଆଧାରରେ ପୁଣି ତାଙ୍କୁ ଦୁଇ ଦିନ ରିମାଣ୍ଡରେ ନେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା ।

କିନ୍ତୁ ଅର୍ଚ୍ଚନା ନାଗଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ତଦନ୍ତ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ସହଯୋଗ କରୁଥିବା କହିଥିଲେ ଅର୍ଚ୍ଚନା ନାଗଙ୍କ ଓକିଲ। ଆଉ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ରିମାଣ୍ଡ ଆବେଦନକୁ ଖାରଜ କରିଦେଇଥିଲେ।

Comments are closed.