ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ ଓ ଜରିମାନା

ବାଲେଶ୍ଵର – ୨୦୧୯ର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି। ସ୍ଥାନୀୟ ରାମପୁରର ଶିକ୍ଷକ ବସନ୍ତ ଦାସଙ୍କୁ ଆଜି ବାଲେଶ୍ଵର ଜିଲ୍ଲା ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଦୋଷୀଙ୍କୁ ଅଧିକ ୨ ବର୍ଷ ଜେଲରେ ରହିବାକୁ ହେବ ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ୨୦୧୯ ମସିହାରେ ଶିକ୍ଷକ ଜଣକ ଅତି ଘୃଣ୍ୟ କାର୍ଯ୍ୟ କରିଥିଲେ । ନାବାଳିକାଙ୍କୁ ଘରକୁ ଡ଼ାକି ଚକଲେଟ୍ ଦେବାର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ସିମୁଳିଆ ଥାନା ପୋଲିସ ଏତଲା ଆଧାରରେ ଘଟଣାର ତଦନ୍ତ କରି କୋର୍ଟରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ଆଧାରରେ ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୁତାର ରାୟ ଶୁଣାଣ ଶିକ୍ଷକ ବସନ୍ତ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ଏଣେ ପୀଡ଼ିତା ନାବାଳିକାଙ୍କ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ହୋଇଛି।

Comments are closed.