ବ୍ରହ୍ମପୁରରୁ ସାରା ରାଜ୍ୟକୁ ଯିବ ବ୍ରେଲି ବ୍ୟାଲଟ୍

ବ୍ରହ୍ମପୁର: ସବୁ ଯୋଗ୍ୟ ନାଗରିକ ଯେପରି ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପ୍ରତି ନିର୍ବାଚନ କମିଶନ ତଥା ରାଜ୍ୟସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବ ଦେଉଛନ୍ତି। ଦୃଷ୍ଟିହୀନମାନେ ମଧ୍ୟ ଯେପରି ଏଥିରୁ ବଞ୍ଚିତ ହୁଅନ୍ତି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ସେଥିପାଇଁ ବ୍ରହ୍ମପୁରରେ ଥିବା ରାଜ୍ୟର ଏକମାତ୍ର ତଥା ଆଧୁନିକ ବ୍ରେଲି ପ୍ରେସ୍ ଉପରେ ଗୁରୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଠାରୁ ରାଜ୍ୟର ସମସ୍ତ ବୁଥକୁ ବ୍ରେଲି ବ୍ୟାଲଟ୍ ପେପର୍ ପଠାଯିବ ଯେଉଁଠି ଦୃଷ୍ଟିହୀନମାନେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ। ନାମାଙ୍କନ ଦାଖଲ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ଆବଶ୍ୟକ ବ୍ରେଲି ବ୍ୟାଲଟ୍ ଛପା ଆରମ୍ଭ ହେବ। ରାଜ୍ୟରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ସେହି ଅନୁସାରେ ଯେଉଁଠି ଯେମିତି ଓ ଯେତେ ବ୍ରେଲି ବ୍ୟାଲଟ୍ ଆବଶ୍ୟକ ସେହି ଅନୁସାରେ ଛଡାଯିବ।

ଦୃଷ୍ଟିହୀନ ମତଦାତାଙ୍କୁ ନିଜ ମତାଧିକାର ସୁଯୋଗ ପ୍ରଦାନ ନିମନ୍ତେ ୧୯୮୬ରେ ସ୍ଥାପିତ ଏହି ବ୍ରେଲି ପ୍ରେସରେ ଛପାହେବ ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୦ ହଜାର ଲେଖାଏଁ ଡମି ବ୍ୟାଲଟ୍। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସବୁ ଛପାଯିବ। ତେବେ କାର୍ଯ୍ୟ ତଥା ଦାୟିତ୍ବ ବୃଦ୍ଧି ଦୃଷ୍ଟିରୁ ଏହି ବ୍ରେଲି ପ୍ରେସରେ ୫ ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଅତିରିକ୍ତ ଭାବେ ଆଉ ୧୫ ଜଣଙ୍କୁ ଖାସ୍ କରି ନିର୍ବାଚନ କାର୍ଯ୍ୟ ସକାଶେ ନିୟୋଜିତ କରାଯିବ। ପ୍ରେସ୍ ସାଙ୍ଗକୁ କର୍ମଚାରୀମାନେ ଏବେ ଏଥିପାଇଁ ତତ୍ପର।

ପ୍ରକାଶ ଥାଉକି ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବାରୁ ଏହି ପ୍ରେସରେ ରାଜ୍ୟର ୫୫ଟି ଦୃଷ୍ଟିହୀନ ସ୍କୁଲର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଛପା ହେଉଛି। ଏହା ଉପରେ ନିର୍ବାଚନ ହେବାକୁ ଥିବାରୁ ଡମି ବ୍ୟାଲଟ୍ ଖୁବ୍ କମ୍ ସମୟ ମଧ୍ୟରେ ତିଆରି କରିବାକୁ ହୁଏ। ତଥାପି ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇ ଆସୁଛନ୍ତି ବ୍ରହ୍ମପୁର ବ୍ରେଲି ପ୍ରେସ୍ ଷ୍ଟାଫ୍। ତଥାପି ନିର୍ଭୂଲ ବ୍ରେଲି ବ୍ୟାଲଟ୍ ପେପର୍ ପ୍ରସ୍ତତି ସକାଶେ କଟକସ୍ଥିତ ସରକାରୀ ଛାପାଖାନାରୁ ୧୦ ଜଣ ଓ ରେଡକ୍ରସ୍ ଦୃଷ୍ଟିହୀନ ସ୍କୁଲରୁ ୩ ଜଣ ଏବଂ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେଶାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରୁ ୨ ଜଣ ଡେପୁଟେସନରେ ଆସି ଏଠାରେ ନିର୍ବାଚନ କାର୍ଯ୍ୟ ତୁଲାଇବେ। ବ୍ୟାଲଟରେ କ୍ରମିକ ସଂଖ୍ୟ, ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ, ଦଳର ନାମ, ନୋଟା ଆଦି ଉଲ୍ଲେଖ ରହି ବା ଛପା ହେବ। ଦୃଷ୍ଟିହୀନ ମତଦାତା ଏହାକୁ ଆଙ୍ଗୁଠିରେ ଛୁଇଁ ଇଭିଏମରେ ଭୋଟ ଦେବେ।

Comments are closed.