ବିଜେପିରେ କିଛି କାମ ମିଳିଲେ କରିବି: ମୁକୁଲ ରୟ

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରୟ ପୁଣି ଦାବି କରିଛନ୍ତି ଯେ ସେ ବିଜେପିରେ ଅଛନ୍ତି।

ସେ ଟିଏମସିରୁ ଇସ୍ତଫା ଦେବେ କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ରୟ କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ । କାରଣ ସେ ଟିଏମସିରେ ହିଁ ନଥିଲେ।

ଦୁଇ ବର୍ଷ ତଳେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁକୁଲ ରୟ ବିଜେପି ଛାଡ଼ି ପୁଣି ଟିଏମସିକୁ ଫେରିଥିଲେ। ତେବେ ସେ ଏବେ ବି ବିଜେପିରେ ଅଛନ୍ତି ବୋଲି କହି ମୁକୁଲ ରୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

ମୁକୁଲ ରୟ ଟିଏମସିକୁ ଫେରିବା ପରେ ବିଜେପି ଏହାକୁ ବିଶ୍ବାସଘାତକତା ବୋଲି କହିଥିଲା।

ତେବେ ରୟ ଏବେ କହିଛନ୍ତି ଯେ ସେ ବିଶ୍ବାସଘାତ କରିନାହାଁନ୍ତି। ଯଦି ବିଜେପି ତାଙ୍କୁ କୌଣସି କାମ ଦିଏ, ତେବେ ସେ ତାହା କରିବେ ଏବଂ ଯଦି କେହି ତାଙ୍କୁ ଭେଟିବାକୁ ଚାହାଁନ୍ତି, ତେବେ ସେ ପ୍ରସ୍ତୁତ ଅଛନ୍ତି।

ତୃଣମୂଳ କଂଗ୍ରେସର ଅନ୍ୟତମ ପ୍ରତିଷ୍ଠାତା ମୁକୁଲ ରୟ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ ଜିତିଥିଲେ । ତେବେ ପରେ ତୃଣମୂଳ କଂଗ୍ରେସକୁ ଫେରିଥିଲେ। ହେଲେ ସେ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇନଥିଲେ ।

ମୁକୁଲ ରୟ କହିଛନ୍ତି, ” କିଛି ସମୟ ଧରି ମୋର ସ୍ୱାସ୍ଥ୍ୟ ଭଲ ନଥିଲା, ତେଣୁ ମୁଁ ରାଜନୀତିରୁ ଦୂରେଇ ଯାଇଥିଲି। କିନ୍ତୁ ବର୍ତ୍ତମାନ ମୁଁ ଭଲ ଅଛି ଏବଂ ପୁଣି ରାଜନୀତିରେ ସକ୍ରିୟ ରହିବି।”

ଉଲ୍ଲେଖଯୋଗ୍ୟ, ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ରୟ ତାଙ୍କ ବାପା ନିଖୋଜ ହୋଇଯାଇଛନ୍ତି ବୋଲି ଦାବି କରିଥିଲେ । ହେଲେ ସୋମବାର ବିଳମ୍ବିତ ରାତିରେ ମୁକୁଲ ରୟଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଶୁଭ୍ରାଂଶୁ କହିଛନ୍ତି ଯେ ତାଙ୍କ ବାପା ମାନସିକ ସ୍ତରରେ ଅସୁସ୍ଥ । ତାଙ୍କ ଚିକିତ୍ସା ଆବଶ୍ୟକ ।

Comments are closed.