ଆରଟିଓର ୫୮ଟି ସେବା ହେଲା ଅନଲାଇନ୍, ଏବେ ଘରେ ବସି ପାଇପାରିବେ ଏହି ସବୁ ସେବା

ନୂଆଦିଲ୍ଲୀ: ଲୋକଙ୍କ ସୁବିଧା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୫୮ଟି ଆରଟିଓ ସମ୍ବନ୍ଧୀୟ ସେବାକୁ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ କରିଛି। ବଡ଼ କଥା ହେଉଛି ଆପଣଙ୍କର ଆଧାର ନଥିଲେ ବି ଆପଣ ଏହି ସେବା ଗୁଡ଼ିକ ପାଇଁ ଆବେଦନ କରିପାରିବେ | ଅନଲାଇନ୍ ହୋଇଥିବା ଏହି ସେବା ଗୁଡ଼ିକ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜିକରଣ, ଯାନ ପଞ୍ଜିକରଣ ସ୍ଥାନାନ୍ତର ପରି ଅନେକ ସୁବିଧା ଅଛି, ଯାହାକୁ ଆପଣ ବର୍ତ୍ତମାନ ଘରେ ବସି ଅନଲାଇନରେ କରିପାରିବେ |

ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ଲୋକମାନେ ସରକାରୀ କାର୍ଯ୍ୟାଳୟକୁ ନ ଯାଇ କଣ୍ଟାକ୍ଟଲେସ ଉପାୟରେ ୫୮ ଟି ସେବାର ସୁବିଧା ଉଠାଇ ପାରିବେ । ଏହା ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହ କାର୍ଯ୍ୟାଳୟ ଗୁଡ଼ିକର ବୋଝ ମଧ୍ୟ ହ୍ରାସ ହେବ |

ଅନଲାଇନ୍ ସେବା ଯାହା ପାଇଁ ଲୋକମାନେ ଆଧାର ଭେରିଫାଏ କରିପାରିବେ ସେଗୁଡିକ ମଧ୍ୟରେ ଲର୍ନର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସର କପି ଏବଂ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଭଳି ସେବା ଅନ୍ତର୍ଭୁକ୍ତ |

ସେପ୍ଟେମ୍ବର ୧୬ରେ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର ଆଧାର ନାହିଁ, ସେ ଅନ୍ୟ କୌଣସି ପରିଚୟ ପ୍ରମାଣ ଦେଖାଇ ସିଧାସଳଖ ସେବା ପାଇପାରିବେ | ଏହା ସହିତ ଅନ୍ୟ ପରିଚୟ ପତ୍ର ପାଇଁ ଆବେଦନ କରିବାରେ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ ଏବଂ କୌଣସି ସେବା ପାଇଁ ମଧ୍ୟ ସେମାନଙ୍କ ସହଜରେ ପଞ୍ଜୀକରଣ ହୋଇପାରିବ |

Comments are closed.