ଗୋପାଳପୁର ପୋଲିସ କାବୁ କଲା ଡକାୟତ ଗ୍ୟାଙ୍ଗ୍

ଗୋପାଳପୁର: ଗତ ୪ ମାସ ହେଲା ଗୋପାଳପୁର ଓ ବ୍ରହ୍ମପୁର ସହରର ବିଭିନ୍ନ ତାଲା ବନ୍ଦ ଘରକୁ ଟାର୍ଗେଟ୍ କରି ଆସୁଥିଲେ ଡକାୟତ ଗ୍ୟାଙ୍ଗ୍। ଘରେ କେହି ନଥିବା ସୁଯୋଗରେ କୌଣସିମତେ ଘରେ ପଶି ଲୁଟପାଟ କରି ନେଉଥିଲେ ଦୁର୍ବୃତ୍ତ। ଏମାନଙ୍କ ସନ୍ଧାନରେ ଲାଗି ପଡ଼ିଥିଲା ଗୋପାଳପୁର ପୋଲିସ। ଶେଷରେ ବୁଧବାର ମିଳିଛି ବଡ଼ ସଫଳତା। ଧରା ହୋଇଛନ୍ତି ଡକାୟତ ଗ୍ୟାଙ୍କ୍‌ର ୪ ଲୁଟେରା।

ସେମାନଙ୍କ ଠାରୁ ପୋଲିସ୍ ଜବତ କରିଛି ମୋଟ ୨୩୫ ଗ୍ରାମ୍ ଓଜନର ବିଭିନ୍ନ ସୁନା ଅଳଙ୍କାର ଏବଂ ୬୦ ଗ୍ରାମ୍‌ ରୁପା ଅଳଙ୍କାର। ଦୁଇଟି ଦେଶୀ ବୋମା ଓ ଦୁଇଟି ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ। ବୁଧବାର ଅପରାହ୍ନ ପ୍ରାୟ ୨ଟା ବେଳେ ଗୋପାଳପୁର ପୋଲିସକୁ ଡକାୟତ ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ମିଳିଥିଲା।

ବ୍ରହ୍ମପୁର ଏସପି ଡ. ଶ୍ରବଣ ବିବେକ ଏମ୍.ଙ୍କ ନିର୍ଦ୍ଦେଶକ୍ରମେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ କୁମାର ଖମାରୀଙ୍କ ନେତୃତ୍ୱରେ ଡୁରା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ଉ କରାଯାଇଥିଲା। ୪ ଡକାୟତଙ୍କୁ କାବୁ କରିଥିଲା ପୋଲିସ। ସେମାନେ ରାଜପଥର ଏକ ପେଟ୍ରୋଲ ପମ୍ପ୍ ଲୁଟିବା ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Comments are closed.